ତୃତୀୟ ବିବାହ କଲେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃତୀୟ ବିବାହ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ। ଇମ୍ରାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକା ରେହମ ଖାନ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ରେହମ୍ ଖାନ୍ ମିର୍ଜା ବିଲାଲଙ୍କୁ ବିବାହ କରିଥିବା ଜଣାପଡ଼ିଛି। ୨୦୧୫ମସିହାରେ ଇମ୍ରାନ ଖାନଙ୍କଠାରୁ ଛାଡପତ୍ର ନେଇଥିଲେ ରେହମ। ଏତେ ବର୍ଷ ପରେ ସେ ପୁଣି ଥରେ ବିବାହ କରିଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେହମ ଖାନଙ୍କ ସ୍ୱାମୀ ମିର୍ଜା ବିଲାଲ ପାକିସ୍ତାନୀ ଅଟନ୍ତି। କିନ୍ତୁ ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି। ମିର୍ଜା ବିଲାଲଙ୍କୁ ୩୬ବର୍ଷ ବୟସ ହୋଇଥିବା ବେଳେ ସେ ପୂର୍ବରୁ ଜଣେ ମଡେଲ ଥିଲେ। ହେଲେ ଏବେ କର୍ପୋରେଟ୍ ଚାକିରି କରୁଥିବା ସାମ୍ନାକୁ ଆସିଛି। ରେହମ ଖାନଙ୍କ ପରି ମିର୍ଜା ବିଲାଲ ମଧ୍ୟ ଦୁଇଥର ବିବାହ କରିଥିଲେ। ଏହା ସହ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି। ଦୁହେଁ ଆମେରିକାରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିବା ବେଳେ ରେହମ ଖାନ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ରେହମ୍ ଖାନ୍ ଟ୍ୱିଟରରେ ମିର୍ଜା ବିଲାଲଙ୍କ ସହ ଏକ ଫଟୋ ସେୟାର କରି ତାଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି। ଫଟୋ ସେୟାର କରି ରେହମ ଖାନ କ୍ୟାପସନରେ ଲେଖିଛନ୍ତି ଯେ, “ଶେଷରେ ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ପାଇଛି ଯାହାକୁ ମୁଁ ବିଶ୍ୱାସ କରିପାରିବି।”

ଉଲ୍ଲେଖଯୋଗ୍ୟ, ରେହମ ଖାନ ପ୍ରଥମ ଥର ପାଇଁ ଇଜାଜ ରେହମାନଙ୍କ ସହ ବିବାହ କରିଥିଲେ। ହେଲେ ସେମାନଙ୍କର ବିବାହ ସଫଳ ନହେବା ସହ ୨୦୦୫ମସିହାରେ ଦୁହେଁ ଛାଡପତ୍ର ନେଇଥିଲେ। ଏହା ପରେ, ୨୦୧୪ ମସିହାରେ ରେହମ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ। କିନ୍ତୁ ଇମ୍ରାନ ଖାନଙ୍କ ସହ ରେହମଙ୍କ ଦାମ୍ପତ୍ୟ ଜୀବନ ବେଶୀ ଦିନ ଚାଲିପାରିନଥିଲା। ଦୁହେଁ ୨୦୧୫ମସିହାରେ ଛାଡପତ୍ର ନେଇଥିଲେ।

Related Posts