ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମରେ ପୁଣି ଏକ ମାଦ୍ରାସାକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ପ୍ରଶାସନ ଓ ପୁଲିସ ବିଭିନ୍ନ ଆଳରେ ୩ଟି ମଦ୍ରାସା ଭାଙ୍ଗିଥିଲା। ଏବେ ସ୍ଥାନୀୟ ଲୋକମାନେ ଆସାମର ଗୋଲପଡ଼ାରେ ଥିବା ମଦ୍ରାସାକୁ ଭାଙ୍ଗି ଦେଇଛନ୍ତି। ଦୁଇ ଜଣ ବାଂଲାଦେଶୀ ନାଗରିକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ମଦ୍ରାସାକୁ ବ୍ୟବହାର କରୁଥିବା ଏହାକୁ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି।ପୁଲିସ୍‌ କହିଛି ଯେ ଏହି ମଦ୍ରାସାକୁ ଦୁଇ ବାଂଲାଦେଶୀ ନାଗରିକ ଅମିନୁଲ ଇସଲାମ ଓ ଜାହାଙ୍ଗୀର ଅଲୋମ ଚଳାଉଥିଲେ। ସେମାନେ ଅଲକାଏଦା ଦ୍ୱାରା ପରିଚାଳିତ ଗୋଟିଏ ସଂଗଠନର ସଦସ୍ୟ। ୨୦୨୦ରୁ ୨୦୨୨ ଯାଏ ସେମାନେ ମଦ୍ରାସାରେ ପିଲାମାନଙ୍କୁ ପାଠପଢ଼ାଇବା ଆଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ତାଲିମ ଦେଉଥିଲେ।

ବର୍ତ୍ତମାନ ଅମିନୁଲ ଓ ଜାହାଙ୍ଗୀର ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି। ପାଖିଉରା ଚରରେ ଥିବା ଏହି ମଦ୍ରାସା ପାଖରେ ଗୋଟିଏ ଘର ରହିଥିଲା। ତାକୁ ମଧ୍ୟ ଲୋକମାନେ ଭାଙ୍ଗି ଦେଇଛନ୍ତି। ଏଥିରେ କୌଣସି ସରକାରୀ କର୍ମଚାରୀ ସାମିଲ ନଥିଲେ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଆହୁରି କହିଛି ଯେ ଲୋକମାନେ ମଦ୍ରାସା ଓ ଏହା ନିକଟରେ ଥିବା ଘରକୁ ମାଟିରେ ମିଶାଇ ଦେଇଛନ୍ତି। ଏହା ଜିହାଦୀ କାର୍ଯ୍ୟକଳାପ ବିରୋଧରେ ଲୋକଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଜଲାଉଦ୍ଦିନ ଶେଖ ନାକମ ଜଣେ ମୌଲବୀ ହିଁ ଅଲକାଏଦା ସଦସ୍ୟ ଅମିନୁଲ ଓ ଜାହାଙ୍ଗୀରକୁ ଏଠାରେ ପାଠପଢ଼ାଇବା ପାଇଁ ଅନୁମତି ଦେଇଥିଲେ। ତାଙ୍କୁ ମଧ୍ୟ ଗତ ମାସରେ ଗିରଫ କରାଯାଥିଲା। ସେ ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗୋଟିଏ ମାସ ମଧ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଲିଙ୍କରେ ଚତୁର୍ଥ ମଦ୍ରାସାକୁ ଆସାମରେ ଭଙ୍ଗା ଯାଇଛି।