ଆସାମ ସରକାର ଭାଙ୍ଗିଥିବା ମଦ୍ରାସା ଗୁଡିକରେ ଆଲକାଏଦା ର ଅଫିସ ଚାଲୁଥିଲା : ହିମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ମଦ୍ରାସା ଗୁଡ଼ିକୁ ଭଙ୍ଗା ଯାଉଛି। ଏହି ମଦ୍ରାସା ଗୁଡ଼ିକରେ ଆଲକାଏଦା ର ଅଫିସ ଚାଲୁଥିଲା ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ଗୋଲପଡ଼ା ଜିଲ୍ଲାରେ ଥିବା ଏକ ମଦ୍ରାସାକୁ ସ୍ଥାନୀୟ ଲୋକମାନେ ଭାଙ୍ଗିଦେବା ପରେ ଆସିଛି। ଦୁଇ ଜଣ ବାଂଲାଦେଶୀ ନାଗରିକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ମଦ୍ରାସାକୁ ବ୍ୟବହାର କରୁଥିଲେ ବୋଲି ଏହାକୁ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପୁଲିସ୍‌ କହିଛି ଯେ, ଏହି ମଦ୍ରାସାକୁ ଦୁଇ ବାଂଲାଦେଶୀ ନାଗରିକ ଅମିନୁଲ ଇସଲାମ ଓ ଜାହାଙ୍ଗୀର ଅଲୋମ ଚଳାଉଥିଲେ। ସେମାନେ ଅଲକାଏଦା ଦ୍ୱାରା ପରିଚାଳିତ ଗୋଟିଏ ସଂଗଠନର ସଦସ୍ୟ ବୋଲି ଜଣା ପଡିଛି । ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେମାନେ ଏହି ମଦ୍ରାସାରେ ପିଲାମାନଙ୍କୁ ପାଠପଢ଼ାଇବା ଆଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ତାଲିମ ଦେଉଥିବା ସୂଚନା ମିଳିଛି।

ତେବେ ଗୋଲପଡ଼ାରେ ସ୍ଥାନୀୟ ବାସିନ୍ଦା ମାନେ ଏହି ମଦ୍ରାସାକୁ ଭାଙ୍ଗିବା ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ରାଜ୍ୟରେ କିଛି ମଦ୍ରାସାକୁ ଭଙ୍ଗା ଯାଇଛି। ଏସବୁ ମଦ୍ରାସା ଗୁଡିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଙ୍ଗା ଯାଉଥିବା ମଦ୍ରାସା ଗୁଡ଼ିକ ମଦ୍ରାସା ନୁହେଁ, ଏଗୁଡ଼ିକ ଆଲକାଏଦା ର କାର୍ଯ୍ୟାଳୟ ଥିଲା। ସରକାରଙ୍କ ପକ୍ଷରୁ ଦୁଇ-ତିନୋଟି ମଦ୍ରାସା ଭଙ୍ଗା ଯାଇଥିଲା ଏବେ ଲୋକମାନେ ନିଜ ଆଡୁ ଏଗୁଡ଼ିକୁ ଭାଙ୍ଗିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଗୋଲପଡ଼ାରେ ଭଙ୍ଗା ଯାଇଥିବା ମଦ୍ରାସାକୁ ଲୋକମାନେ ହିଁ ଭାଙ୍ଗିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଗୁଡ଼ିକୁ ଭାଙ୍ଗିବା ପାଇଁ ମୁସଲିମ ସମ୍ପ୍ରଦାୟର ଲୋକ ମାନେ ମଧ୍ୟ ଆଗେଇ ଆସୁଛନ୍ତି। ଏବେ ରାଜ୍ୟର ଲୋକ ମାନେ ଏକାଠି ହୋଇ ମଦ୍ରାସା ନାମରେ ଆସାମରେ ଚାଲିଥିବା ଆଲକାଏଦା ର ଅଫିସ ଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରିଛନ୍ତି ବୋଲି ହିମନ୍ତ କହିଛନ୍ତି ।

Related Posts