ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡର ଦୁମକାରେ ଏକତରଫା ପ୍ରେମର ଭୟଙ୍କର ପରିଣତି ସାମ୍ନାକୁ ଆସିଛି। ଜଣେ ଯୁବକ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନିକଟସ୍ଥ ଏକ ମେଡିକାଲ୍ କଲେଜ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟଧିକ ଗମ୍ଭୀର ଥିବାରୁ ତାଙ୍କୁ ରାଞ୍ଚିର ରିମ୍ସ୍କୁ ସ୍ଥାନାନ୍ତରିତ କରାଯାଇଛି।ଯୁବତୀ ଜଣକ ନିଜର ବୟାନ ଦେଇ ପୁଲିସ୍କୁ କହିଛନ୍ତି ଯେ ଜଣେ ଯୁବକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମାତ୍ର ସେ ସେହି ପ୍ରସ୍ତାବକୁ ଗ୍ରହଣ ନକରିବାକୁ ଯୁବକ ଜଣକ କ୍ରୋଧରେ ଆସି ତାଙ୍କ ଉପରେ ପେଟ୍ରୋଲ୍ ଢାଳି ତାଙ୍କୁ ଜାଳି ଦେଇଥିଲେ।
ଏହି ଘଟଣା ଘଟାଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ମଧ୍ୟ ସଂପୃକ୍ତ ଅଞ୍ଚଳରେ ଏପରି ଏକ ଘଟଣା ଘଟିଥିଲା। ଅଙ୍କିତା ନାମ୍ନୀ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ ପାଇଁ ଶାହାରୁଖ ନାମକ ଜଣେ ଯୁବକ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ମାରୁତୀ କୁମାରୀ ଓ ରାଜେଶ କୁମାରଙ୍କ ମଧ୍ୟରେ ୨୦୧୯ ମସିହାରେ ବନ୍ଧୁତ୍ବ ହୋଇଥିଲା। ମାତ୍ର ଚଳିତବର୍ଷ ଫେବ୍ରୁଆରିରେ ରାଜେଶ ଅନ୍ୟତ୍ର ବିବାହ କରି ଯାଇଥିଲେ। ଏହାପରେ ମଧ୍ୟ ସେ ମାରୁତୀଙ୍କୁ ବିବାହ କରିବାକୁ ଜିଦ୍ ଧରୁଥିଲେ। ମାରୁତୀ ମନା କରିବାରୁ ସେ ଯଦି ରାଜି ନହୁଅନ୍ତି ତାଙ୍କ ଅବସ୍ଥା ବି ଦୁମକା ପେଟ୍ରୋଲ୍ କାଣ୍ଡ୍ ପରି ହେବ ବୋଲି ଧମକ ଦେଉଥିଲେ। ଶେଷରେ ରାଜେଶ ଏପରି କାଣ୍ଡ ରଚିଦେଲେ।
