ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନରେଗା ସହ ଜଡିତ ଦୁର୍ନୀତିରେ ସାମିଲ ଥିବା ନିଲମ୍ବିତ ଆଇଏଏସ ପୂଜା ସିଙ୍ଘଲଙ୍କର ୮୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ତରଫରୁ ଝାଡଖଣ୍ଡ ରାଞ୍ଚିରେ ଥିବା ପୂଜାଙ୍କର ୮୨.୭୭ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରାଯାଇଛି । ଏହି ସମ୍ପତ୍ତି ମଧ୍ୟରେ ରହିଛି ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଗୋଟିଏ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଦୁଇଟି ପ୍ଲଟ ।ଏହାସହ ପୂଜା ଓ ତାଙ୍କ ସ୍ୱାମୀଙ୍କର ବ୍ୟାଙ୍କ ଆକାଉଣ୍ଟ ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡର ଆଇଏଏସ ପୂଜା ସିଙ୍ଘଲ ମନରେଗା ଦୁର୍ନୀତିରେ ପଡିବା ପରେ ଇଡି ତରଫରୁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି । ଦୁର୍ନୀତି ସମୟରେ ପୂଜା ଝାଡଖଣ୍ଡ ସରକାରଙ୍କ ମନରେଗା ଯୋଜନାର ଡେପୁଟି କମିଶନର ଥିଲେ । ପୂଜାଙ୍କ ନାମରେ ଅଭିଯୋଗ ରହିଛି କି ସେ ବିନା କାମରେ ମନରେଗା ଯୋଜନାର ଅର୍ଥ ହଡପ କରିଛନ୍ତି । ପ୍ରଥମେ ରାଜ୍ୟ ସରକାର ଏହି ଦୁର୍ନୀତି ଉପରେ ଯାଂଚ କରି ପୂଜା ସିଙ୍ଘଲଙ୍କୁ କ୍ଲିନଚିଟ୍ ଦେଇଥିଲେ । ପୂଜା ସିଙ୍ଘଲଙ୍କୁ କ୍ଲିନଚିଟ୍ ଦିଆଯିବା ବେଳେ ଝାଡଖଣ୍ଡରେ ବିଜେପିର ସରକାର ଥିଲା ଓ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଥିଲେ ।ଇଡିର ଯାଂଚ ବେଳେ ପୂଜା ସିଙ୍ଘଲଙ୍କ ନିକଟରେ ଆୟବର୍ହିଭୂତ ସମ୍ପତ୍ତି ଥିବା ଜଣାପଡିଥିଲା । ଏହାପରେ ଚଳିତ ବର୍ଷ ମେ, ମାସ ୬ ତାରିଖରେ ଇଡି ତରଫରୁ ପୂଜା ସିଙ୍ଘଲ ଓ ତାଙ୍କ ସହଯୋଗୀଙ୍କର ୨୫ ଟି ଠିକଣାରେ ଚଢାଉ କରାଯାଇଥିଲା । ଏହି ମାମଲାରେ ମେ, ୧୧ ତାରିଖରେ ପୂଜାଙ୍କୁ ଗିରଫ କରାଯାଇଥିଲା ।