
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତରେ ପାର୍ବଣ ଋତୁ ବ୍ୟବସାୟୀମାନଙ୍କ ପାଇଁ ବ୍ୟବସାୟର ଏକ ଉତ୍କୃଷ୍ଟ ସମୟ ଅଟେ। ହେଲେ ଏବେ ଏହାର ଅଧିକ ସୁଯୋଗ ନେଇଛନ୍ତି ଅନଲାଇନ କମ୍ପାନୀ। ପାର୍ବଣ ବେଳେ ଆମାଜନ, ଫ୍ଳପ୍କାର୍ଟ ଭଳି ବହୁ ପ୍ରତିଷ୍ଠିତ ଅନଲାଇନ କମ୍ପାନୀ ଗ୍ରାହକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଫର ମାଧ୍ୟମରେ ରିଆତି ଦେଇ ବ୍ୟବସାୟ ବଢାଇ ଚାଲିଥିଲା ବେଳେ ବର୍ଷକୁ ବର୍ଷ ଏହି ବ୍ୟାବସାୟିକ ପରିମାଣ ବଢିବାରେ ଲାଗିଛି।
ଏହିକ୍ରମରେ ଚଳିତ ବର୍ଷ ପାର୍ବଣ ସମୟରେ ବିଭିନ୍ନ ଅନଲାଇନ କମ୍ପାନୀ ୫.୭ ବିଲିୟନ ଡଲାର ବା ପ୍ରାୟ ୪୦ ହଜାର କୋଟି ଟଙ୍କାର ବେପାର କରିଥିବା ଜଣାପଡ଼ିଛି। ପାର୍ବଣର କିଛି ଦିନ ପୂର୍ବରୁ ଅନଲାଇନ କମ୍ପାନୀଗୁଡିକ ଦ୍ବାରା ଅଫ୍ର ଆରମ୍ଭ କରାଯାଇଥିଲା ବେଳ ସେପ୍ଟେମ୍ବର ୨୨ ରୁ ୩୦ ତାରିଖ ମଧ୍ୟରେ ଏହି ପରିମାଣର କାରବାର ହୋଇଛି। ଯାହାକି ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି। ଗତ ଦୁଇ ବର୍ଷ କରୋନା କାଳରେ ସର୍ବାଧିକ ଲୋକ ଅନଲାଇନ ମାଧ୍ୟମରେ କାରବାର କରିଥିଲେ। ଚଳିତ ବର୍ଷ କରୋନାର ପ୍ରଭାବ ନଥାଇ ମଧ୍ୟ ଅନଲାଇନ କାରବାର ଗତବର୍ଷର କାରବାରକୁ ଟପିଛି। ତେବେ ବିଭିନ୍ନ ସାମଗ୍ରୀ ମଧ୍ୟରେ ମୋବାଇଲ ଫୋନର ବିକ୍ରି ସବୁଠୁ ଅଧିକ ରହିଛି। କମ୍ପାନୀମାନଙ୍କ ରିହାତି ଅବଧି ମଧ୍ୟରେ ଘଣ୍ଟାକୁ ପ୍ରାୟ ୫୬ ହଜାର ମୋବାଇଲ ଫୋନ ବିକ୍ରି ହୋଇଥିବା ଜଣାପଡ଼ିଛି।
ପାର୍ବଣର ପ୍ରଥମ ସପ୍ତାହରେ ବିଭିନ୍ନ ଅନଲାଇନ କମ୍ପାନୀଙ୍କ ମାଧ୍ୟମରେ ଦେଶର ବିଭିନ୍ନ ଭାଗରେ ୭୫ ରୁ ୮୦ ନିୟୁତ ଲୋକ କେବଳ ମୋବାଇଲ ଫୋନ୍ ଅର୍ଡର କରିଛନ୍ତି। ଗତବର୍ଷ ତୁଳନାରେ ମୋବାଇଲ ଫୋନ ବିକ୍ରି ୨୪ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ମଧ୍ୟମ ଏବଂ ଅପେକ୍ଷାକୃତ ଛୋଟ ସହରଗୁଡିକରୁ ୬୫ ପ୍ରତିଶତ ଗ୍ରାହକ ମୋବାଇଲ ଫୋନ ଅର୍ଡର କରିଥିବା ଜଣାପଡ଼ିଛି।