୫ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ପାଇବ ୫୨୮୦କୋଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ୫ବର୍ଷ ମଧ୍ୟରେ ଓଡିଶା ବର୍ଷକୁ ୧୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବାକୁ ଯାଉଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ମଙ୍ଗଳବାର ୫୦୦ କୋଟି ଟଙ୍କାର କେନ୍ଦ୍ରିୟ ଅନୁଦାନ ପାଇଛି। ୨୦୨୧-୨୨ ବର୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ରାଜ୍ୟ ସରକାର ୮୩୪.୫୦ କୋଟି ଟଙ୍କା ପାଇଛନ୍ତି ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ବ୍ୟୟ ବିଭାଗ ପକ୍ଷରୁ ୨୫ଟି ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାଗୁଡିକ ପାଇଁ ୧୩,୩୮୫.୭୦କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସେଥି ମଧ୍ୟରୁ ଓଡିଶା ଭାଗରେ ୫୦୦.୭ କୋଟି ଟଙ୍କା ପଡିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ଏହି ଅନୁଦାନ ୨୦୨୧-୨୨ ବର୍ଷରେ ପ୍ରଥମ ପର୍ଯ୍ୟାୟ ଟାଏଡ ଗ୍ରାଣ୍ଟ ଭାବେ ମଞ୍ଜୁର ହୋଇଛି ।

ତେବେ ମୋଟ୍‍ ୧,୪୨,୦୮୪ କୋଟି ଟଙ୍କାରୁ ଓଡିଶା ଏହି ପାଞ୍ଚବର୍ଷ ମଧ୍ୟରେ ମୋଟ୍‍ ୫୨୮୦ କୋଟି ଟଙ୍କା ପାଇବ । ଗାଁ ଗହଳରେ ପରିମଳ ଏବଂ ପାଇଖାନା ମରାମତି ଏବଂ ପାନୀୟଜଳ ଯୋଗାଣ, ବର୍ଷାଜଳ ସଂରକ୍ଷଣ ଓ ଜଳର ପୁନଃ ବ୍ୟବହାର ଆଦି ପାଇଁ ବ୍ୟୟ ହେବାର ପ୍ରାବଧାନ ରହିଛି । ଗ୍ରାଣ୍ଟ-ଇନ୍‍-ଏଡ୍‍ ଆକାରରେ ମିଳୁଥିବା ଅର୍ଥର ୬୦ ପ୍ରତିଶତ ହେଉଛି ଟାଏଡ ଗ୍ରାଣ୍ଟ ।

ଜାତୀୟ ସ୍ତରରେ ପାନୀୟଜଳ ଯୋଗାଣ, ବର୍ଷାଜଳ ସଂରକ୍ଷଣ ଏବଂ ପରିମଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକ ସ୍ଥାନରେ ପଞ୍ଚାୟତିରାଜ ଅନୁଷ୍ଠାନ ସୁପାରିଶ୍‍ରେ ଅନଟାଏଡ ଗ୍ରାଣ୍ଟ ଆକାରରେ ଥିବା ୪୦ ପ୍ରତିଶତ ବ୍ୟୟ ହେବାର ପ୍ରାବଧାନ ରଖାଯାଇଛି । କେନ୍ଦ୍ରୀୟ ଯୋଜନା ଗୁଡିକରେ ରାଜ୍ୟଗୁଡିକୁ ପରିମଳ ଏବଂ ପାନୀୟଜଳ ଯୋଗାଣ ପାଇଁ ମିଳିଥିବା ଅର୍ଥ ପଞ୍ଚାୟତିରାଜ ସଂସ୍ଥା ନିକଟରେ ଟାଏଡ ଗ୍ରାଣ୍ଟ ଆକାରରେ ରହିବ । କେନ୍ଦ୍ରରୁ ଅର୍ଥ ପାଇଲା ପରେ ୧୦ଦିନ ମଧ୍ୟରେ ରାଜ୍ୟ ସରକାର ଏହାକୁ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ପ୍ରଦାନ କରିବେ । ଯଦି ଦଶ ଦିନ ପରେ ଅର୍ଥ ପ୍ରଦାନ କରନ୍ତି ତେବେ ଏ ବାବଦୀୟ ସୁଧ ଦେବାକୁ ପଡିବ।

ସୂଚନାଯୋଗ୍ୟ ଯେ , ଗ୍ରାମାଞ୍ଚଳରେ ପରିମଳ ଓ ପାନୀୟଜଳ ଯୋଗାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ପଞ୍ଚଦର୍ଶ ଅର୍ଥ କମିଶନ ଅଦୁନାନ ଯୋଗାଣ ନିଶ୍ଚିତ କରିଛନ୍ତି । ୭୩ତମ ସମ୍ବିଧାନ ସଂଶୋଧନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଯେଉଁ କ୍ଷମତା ଦିଆଯାଇଥିଲା, ସେ ଦିଗରେ ଏହା ଏକ ବଡ ପଦକ୍ଷପ । ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ପଞ୍ଚଦଶ ଅର୍ଥ କମିଶନ ଯୋଗାଇ ଦେଉଥିବା ଅର୍ଥ କିଭଳି ବ୍ୟୟ ହେବ ସେଥିପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।

ତେବେ ଗ୍ରାମାଞ୍ଚଳ ସ୍ତରରେ ପଞ୍ଚଦଶ ଅର୍ଥ କିଭଳି ବ୍ୟୟ ହେବ ସେଥିପାଇଁ ଜଳଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏ କ୍ଷେତ୍ରରେ କେନ୍ଦ୍ର ସରକାର ୫୦ହଜାର କୋଟି ଟଙ୍କାର ବଜେଟ୍‍ ବ୍ୟବସ୍ଥା କରିଥିବାବେଳେ ଜଳ ଜୀବନ ମିଶନ ପାଇଁ ରାଜ୍ୟର ଅଂଶ ୩୦ହଜାର କୋଟି ଟଙ୍କା ରହିଛି ।

ଚଳିତ ଆର୍ଥିକ ବର୍ଷରେ ୨୮ହଜାର କୋଟି ଟଙ୍କା ପାନୀୟଜଳ ଓ ପରିମଳ ପାଇଁ ଟାଏଡ ଗ୍ରାଣ୍ଟ ଆକାରରେ ଦିଆଯାଇଥିବାବେଳେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ଗ୍ରାମାଞ୍ଚଳରେ ପାଇପ୍‍ ଯୋଗେ ଜଳଯୋଗାଣ ପାଇଁ ରହିଛି । ଏହା ଗ୍ରାମ୍ୟ ଅର୍ଥନୀତି ଉପରେ ଏକ ବଡ ପ୍ରଭାବ ପକାଇବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Related Posts