ଚର୍ଚ୍ଚାରେ ଧର୍ମେନ୍ଦ୍ର-ରାସେଶ୍ୱରୀ ଭେଟଘାଟ୍; ବଢିଲା ବବିଙ୍କ ଟେନସନ୍

ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ):   ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର । ହେଲେ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭେଟଘାଟ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରାସେଶ୍ୱରୀ । ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେଇ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟ ଓ ପରେ ପ୍ରାର୍ଥୀ ବଦଳାଇ ରୋହିତ ପୂଜାରୀଙ୍କୁ ଟିକେଟ ଦେଇଥିଲା | 

ଯାହା ଫଳରେ ଅସନ୍ତୁଷ୍ଟ ହୋଇ ରାସେଶ୍ୱରୀ ଦଳ ଛାଡିଥିଲେ । ବିଜେଡି ଛାଡିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ । ରାଜନୈତିକ ଦଳରେ ସାମିଲ ହେବେ ନାହିଁ, କିନ୍ତୁ ସମାଜସେବା କରିବେ ବୋଲି କହିଥିଲେ ରାସେଶ୍ୱରୀ । କେବଳ ଏତିକି ନୁହେଁ ନା ନନେଇ ସମ୍ବଲପୁର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ବର୍ଷିଥିଲେ ରାସେଶ୍ୱରୀ । ସମ୍ବଲପୁର ବିଧାନସଭା ଆସନରେ ବାହାର ନେତାଙ୍କୁ ଆଣି ଲଢିବାକୁ କାହିଁକି ସୁଯୋଗ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳ ଛାଡିଥିବା କହିଥିଲେ ରାସେଶ୍ୱରୀ । 

କିନ୍ତୁ ଏହା ଭିତରେ ରାସେଶ୍ୱରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପରେ ନାନାଦି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଲଢେଇ ଚାଲିଛି | ଏହାରି ଭିତରେ ରାସେଶ୍ୱରୀ ଦଳ ଛାଡିବା ବିଜେଡିକୁ ବଡ ଝଟକା ଦେଇଥିଲା । ଆଉ ଏବେ ଧର୍ମେନ୍ଦ୍ର ତାଙ୍କୁ ଭେଟିବା ପରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି | ଏପରିକି ରାସେଶ୍ୱରୀ ଧର୍ମେନ୍ଦ୍ରଙ୍କୁ ସମର୍ଥନ କଲେ ପ୍ରଣବଙ୍କ ପାଇଁ ଅଡୁଆ ବଢିବ ବୋଲି କୁହାଯାଉଛି | ଏଭଳି ସ୍ଥିତିରେ ସମ୍ବଲପୁରର ରାଜନୈତିକ ସ୍ଥିତି ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

Related Posts