୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ବିଜେପିକୁ ମିଳିଛି ୪୭୭ କୋଟିରୁ ଅଧିକ ଟଙ୍କାର ଚାନ୍ଦା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ବିଜେପିକୁ ମିଳିଛି ୪୭୭ କୋଟିରୁ ଅଧିକ ଟଙ୍କାର ଚାନ୍ଦା । ଏହି କ୍ରମରେ କଂଗ୍ରେସକୁ ମିଳିଛି ୭୪.୫୦ କୋଟି ଟଙ୍କାରୁ ଅଧିକ ଚାନ୍ଦା। ଯାହାକି ଶାସକ ଦଳକୁ ମିଳିଥିବା ଚାନ୍ଦାର ମାତ୍ର ୧୫ ପ୍ରତିଶତ ରହିଛି। ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଦ୍ୱାରା ସାର୍ବଜନୀନ ଭାବରେ ଦିଆଯାଇଥିବା ଦୁଇ ଦଳର ଆର୍ଥିକ ଯୋଗଦାନ ରିପୋର୍ଟ ଅନୁଯାୟୀ, ବିଜେପି ବିଭିନ୍ନ ସଂସ୍ଥା, ନିର୍ବାଚନ ଟ୍ରଷ୍ଟ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ୪,୭୭,୫୪,୫୦,୦୭୭ ଟଙ୍କା ପାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ଦଳ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦଳକୁ ମିଳିଥିବା ଆର୍ଥିକ ଯୋଗଦାନର ରିପୋର୍ଟ ଦାଖଲ କରିଥିଲା।

ସେହିପରି, ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଆର୍ଥିକ ଯୋଗଦାନ ରିପୋର୍ଟ ଅନୁଯାୟୀ, ଏହା ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ୭୪,୫୦,୪୯,୭୩୧ ଟଙ୍କା ପାଇଥିଲା। ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜନୈତିକ ଦଳଗୁଡ଼ିକୁ ୨୦,୦୦୦ ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ଯୋଗଦାନ ମିଳିଲେ ସେ ସଂପର୍କରେ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୧୪ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ କ୍ଷମତାରୁ ବିତାଡିତ କରି ଶାସନ କ୍ଷମତା ଅକ୍ତିଆର କରିଥିଲା।

Related Posts