ଗତ ୫ ବର୍ଷରେ ଶ୍ରୀଜଗନ୍ନାଥଙ୍କ ଜମିର ବିଭିନ୍ନ ଉତ୍ସରୁ ଶ୍ରୀମନ୍ଦିର ପାଣ୍ଠିରେ ୧୩୪ କୋଟି ୬୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜମା ହୋଇଛି: ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ଭୁକ୍ତ ଥିବା ଜମିର ବିଭିନ୍ନ ଉତ୍ସରୁ ଗତ ୫ ବର୍ଷ ମଧ୍ୟରେ ମୋଟ ୧୩୪,୬୫,୨୯,୧୫୧ ଟଙ୍କା ଶ୍ରୀମନ୍ଦିର ପାଣ୍ଠିରେ ଜମା ହୋଇଛି। ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶନିବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଉତ୍ତର ଦେଇଛନ୍ତି।

ଆଇନ୍‌ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ମୃଣାଳିନୀ ପାଢ଼ୀ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ରାଜ୍ୟ ଭିତରେ ଚିହ୍ନଟ ହୋଇଥିବା ୬୦ ହଜାର ୪୧୮ ଏକର ପରିମିତ ଜମି ସ୍ଥଳେ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ପରିମିତ ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନରେ ପ୍ରାପ୍ତ ହୋଇଥିବାରୁ ଅବଶିଷ୍ଟ ସ୍ବତ୍ତ୍ବଲିପି ଆସନ୍ତା ୬ ମାସ ମଧ୍ୟରେ ସଂଶୋଧନ କରାଯିବ ପାଇଁ ସଦୟ ଆଦେଶ ପ୍ରଦାନ କରିଥିଲେ। ଉକ୍ତ ଆଦେଶ ପରିପ୍ରେକ୍ଷୀରେ ଅଦ୍ୟାବଧି ଓଡ଼ିଶା ରାଜ୍ୟର ୨୪ ଜିଲ୍ଲାରେ ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ ଚିହ୍ନଟ ହୋଇଥିବା ଜମି ମଧ୍ୟରୁ ୩୮ ହଜାର ୬୧ ଏକର ୮୯୨ ଡିସିମିଲ ପରିମିତ ଜମିର ସଂଶୋଧନ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଅଛି। ଅବଶିଷ୍ଟ ୨୨ ହଜାର ୩୬୫ ଏକର ୫୧ ଡିସିମିଲ ପରିମିତ ଜମିର ସଂଶୋଧିତ ସ୍ବତ୍ତ୍ବଲିପି ପ୍ରାପ୍ତ ହୋଇନାହିଁ।

ବିଭିନ୍ନ ତହସିଲ ଅଧିନସ୍ଥ ମୌଜାମାନଙ୍କରେ ବନ୍ଦୋବସ୍ତ ଓ ଚକବନ୍ଦୀ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମ ଦରଜ କରାଯାଇ ମଠାଧୀଶ କିମ୍ବା ବ୍ୟକ୍ତି ବିଶେଷଙ୍କ ମାର୍ଫତଦାରୀରେ ହୋଇଥିବା ରେକର୍ଡକୁ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମ ଦରଜ ପୂର୍ବକ ସଂଶୋଧିତ ସ୍ବତ୍ତ୍ବଲିପି ପ୍ରଦାନ କରିବା ନିମନ୍ତେ ମୋଟ ୩୭୬୭ ଗୋଟି ରେଭନ୍ୟୁ ମିସ୍‌ କେସ୍‌ ୧୦ ହଜାର ୮୦୮ ଏକର ୫୮୪ ଡିସିମିଲ ପରିମିତ ଜମି ଉପରେ ସଂପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି, ଯାହାକି ବିଚାରାଧୀନ ରହିଅଛି। ଏହାକି ଫଇସଲା କରି ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବା ପାଇଁ ସଂପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ସହିତ ବାରମ୍ବାର ପତ୍ରାଳାପ କରାଯାଇଅଛି।

ସେହିପରି ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନରେ ଆଇନ୍‌ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ଓଡିଶା ବାହାରେ ଅନ୍ୟ ୬ଗୋଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫ ଏକର ୨୫୨ ଡିସିମିଲ ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ କରାଯାଇଅଛି। ସେ କହିଛନ୍ତି ଯେ, ଓଡିଶା ଭିତରେ ଥିବା ଶ୍ରୀଜୀଉଙ୍କ ଜମି ମଧ୍ୟରୁ ଗତ ଦୁଇ ବର୍ଷ (୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ)ରେ ୪୦ ଏକର ୭୯୯ ଡିସିମିଲ ପରିମିତ ଜମି ବିକ୍ରୟ କରାଯାଇଅଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମେ ଥିବା ଭୂ- ସମ୍ପତିର ବିଭିନ୍ନ ଉପରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫, ୮୦, ୮୪, ୮୫୯ ଟଙ୍କା ଆଦାୟ ହୋଇଅଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଉପଲବ୍ଧ ହେଉଥିବା ମହାପ୍ରସାଦର ଦର ନିୟନ୍ତ୍ରଣ ବିଷୟ ଅନୁଧ୍ୟାନ କରାଯାଉଛି।

Related Posts