ରାଜ୍ୟସଭାରେ ଧର୍ମେନ୍ଦ୍ର ପ୍ରଧାନ ନୁହେଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ହେଲେ ବିଜେପି ନେତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ପଦକୁ ନେଇ କିଛି ମିଡ଼ିଆ ରିପୋର୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେପି ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ଏହାର ନେତା ଭାବରେ ମନୋନୀତ କରିଛି।  

      ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକର ରାଜ୍ୟପାଳ ହେବା ପରେ ରାଜ୍ୟସଭାରେ ବିଜେପି ନେତା ପଦ ଖାଲି ଥିଲା। ବର୍ତ୍ତମାନ ପିୟୁଷ ଗୋୟଲଙ୍କୁ ଏହି ପଦରେ ନିଯୁକ୍ତ କରାଯିବା ପରେ ତାଙ୍କ ସିଟ୍ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିବ। ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ।ପୀୟୁଷ ଗୋୟଲ ୨୦୧୦ ମସିହାରୁ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି। ବର୍ତ୍ତମାନ ପୀୟୂଷ ଗୋୟଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ପୂର୍ବରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱରେ ଥିଲେ। କିନ୍ତୁ ଗତ ସପ୍ତାହରେ ହୋଇଥିବା କ୍ୟାବିନେଟ୍ ବିସ୍ତାରରେ ତାଙ୍କୁ କର୍ମସ ଓ ଇଣ୍ଡଷ୍ଟ୍ରୀ ବିଭାଗର ଦାୟିତ୍ୱ ଦିଆଯାଇଥିଲା। ସେହିପରି ପେଟ୍ରୋଲିୟମ ବିଭାଗ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଶିକ୍ଷାମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟସଭାରେ ବିଜେପି ନେତା ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। 

      ଗୃହର ନେତା ପଦ ପାଇଁ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଭୂପେନ୍ଦ୍ର ଯାଦବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ଗୃହର ନେତା ଭାବରେ ନିଯୁକ୍ତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ, ଲୋକସଭାରେ ଦଳର ନେତୃତ୍ୱ ନେଉଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ କଂଗ୍ରେସ ଆଉ ଜଣେ ସାସଂଦଙ୍କୁ ନିଯୁକ୍ତ କରାଯିବା ନେଇ ସୂଚନା ରହିଛି।

Related Posts