ତୃତୀୟ ପର୍ଯ୍ୟାୟରେ ୫-ଟିରେ ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ରୂପାନ୍ତରୀକରଣ

ଛତ୍ରପୁର: ବଦଳିବ ଗଞ୍ଜାମ ସ୍କୁଲର ପ୍ରତିଛବି । ତୃତୀୟ ପର୍ଯ୍ୟାୟରେ ୫-ଟିରେ ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କରାଯିବ। ଏନେଇ ୫-ଟି ସଚିବ ଭି. କେ. ପାଣ୍ଡିଆନ ମଙ୍ଗଳବାର ଜିଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଓସ୍ବାନ ଭିସି ମାଧ୍ୟମରେ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସଶକ୍ତ ଓଡିଶାରେ ପରିବର୍ତ୍ତନ କରିବା ନେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସମସ୍ତ ସରକାରୀ ବିଦ୍ୟାଳୟକୁ ରୂପାନ୍ତର କରି ଶିକ୍ଷା ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସବୁ ବିଦ୍ୟାଳୟ ରୂପାନ୍ତରୀକରଣ ହୋଇଛି, ସେଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଠିକ କରିବା ନେଇ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ୫-ଟି ସଚିବ ଅବଗତ କରାଇଥିଲେ ।

ସମସ୍ତ ବିଦ୍ୟାଳୟକୁ ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ବିଦ୍ୟୁତ୍‌, ଇଣ୍ଟରନେଟ ସଂଯୋଗ ଆଦିକୁ ଗୁରୁତ୍ୱ ଦେବାକୁ କହିଥିଲେ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୩୩ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇଛି। ଏଥିପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ଆକୃଷ୍ଟ ହେଉଛନ୍ତି । ପାଠ ପଢାର ମାନ ବୃଦ୍ଧି ଘଟୁଛି । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ୧୦୭ଟି ବିଦ୍ୟାଳୟ ରୂପାନ୍ତରୀକରଣ ହେବ। ୫-ଟି ସଚିବ ଜିଲାର ସମସ୍ତ ବ୍ଲକ ଏବଂ ବ୍ରହ୍ମପୁର ମହାନଗର ନିଗମ ସହିତ ଯୋଡି ହୋଇ ସ୍ଥାନୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ, ସମସ୍ତ ବିଦ୍ୟାଳୟର ଆଲୁମିନା, ବିଦ୍ୟାଳୟ ଉନ୍ନୟନ କମିଟିର ସଦସ୍ୟା, ସଦସ୍ୟ ଓ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇଥିଲେ। ସେମାନେ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ୫-ଟି ସଚିବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ବିଶେଷକରି ଛାତ୍ରୀଛାତ୍ରମାନଙ୍କ ସହିତ ସଚିବ କଥା ହୋଇ ସେମାନେ ବିଦ୍ୟାଳୟର ରୂପାନ୍ତର କିଭଳି ଚାହୁଁଛନ୍ତି ତାହା ପଚାରି ବୁଝିବା ସହିତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କ’ଣ କରିବେ ତାହା ପଚାରି ବୁଝିଥିଲେ। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ ଜଣାଇ ନିଜ ବକ୍ତବ୍ୟ ରଖିଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ଗଞ୍ଜାମ ଭି.କୀର୍ତ୍ତିଭାସନ, ପ୍ରୋବେସନାରୀ ଅଧିକାରୀ ଧୀନା, ଛତ୍ରପୁର ଉପଜିଲାପାଳ ତଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ପରିଷଦ ପ୍ରସନ୍ନ କୁମାର ପାତ୍ର, ଜିଲା ଶିକ୍ଷାଧିକାରୀ ବିନୀତା ସେନାପତି, ଅତିରିକ୍ତ ଜିଲା ଅଧିକାରୀ ପବିତ୍ର ମୋହନ ସାହୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related Posts