ପୁରୀ ପାଇଁ ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର,୦୫/୫(ସତ୍ୟପାଠ ବ୍ୟୁରୋ):     କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ତାଙ୍କ ଟିକେଟ ଫେରାଇବା ପରେ ନୂଆ ପ୍ରାର୍ଥୀ ଭାବେ ଜୟନାରାୟଣ ପଟ୍ଟନାୟକ ଚୟନ କରିଛି କଂଗ୍ରେସ।  କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଗତକାଲି ତାଙ୍କ ଟିକେଟ ଫେରାଇ ଦେଇଛନ୍ତି। ନିର୍ବାଚନ ଲଢ଼ିବାରେ ଦଳର ଆର୍ଥିକ ସହଯୋଗରେ ଅବହେଳା ଓ ବିଭିନ୍ନ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ କାରଣରୁ ଟିକେଟ ଫେରାଇ ଦେଇଥିବା ସୁଚରିତା କହିଛନ୍ତି।

ଏଭଳି ସ୍ଥିତିରେ ଦଳ ବିଳମ୍ବିତ ରାତିରେ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥିପତ୍ର ନାମାଙ୍କନକୁ ଆଉ ଦୁଇଦିନ ବାକି ଥିବାବେଳେ ଶେଷ ମୁହୂର୍ତ୍ତରେ ସୁଚରିତାଙ୍କ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଥିଲା। ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଫେରାଇଦେଲେ।

ସୁଚରିତା କହିଛନ୍ତି, ସେ ଖୁସି କି ଦଳ ତାଙ୍କ ଉପରେ ଭରସା କରି ପୁରୀ ଲୋକସଭା ଆସନରୁ ଲଢ଼ିବାକୁ ସୁଯୋଗ ଦେଇଥିଲା। କିନ୍ତୁ ନିର୍ବାଚନ ଲଢ଼ିବାକୁ ଯେଉଁ ଅର୍ଥ ଦରକାର, ତାଙ୍କ ପାଖରେ ନାହିଁ। ସେ ଦଳ ଉପରେ ଭରସା କରିଥିଲେ। କିନ୍ତୁ ନିର୍ବାଚନ ଲଢ଼ିବାକୁ ଦଳ କୌଣସି ଆର୍ଥିକ ସହଯୋଗ ଯୋଗାଇଦେବାକୁ ମନା କରି ଦେଇଥିଲା। ତଥାପି ସାମାଜିକ ଗଣମାଧ୍ୟମରେ ଆର୍ଥିକ ସହଯୋଗ ପାଇଁ ସେ ନିବେଦନ କରିଥିଲେ। ଏଥିରେ ବି ବିଫଳ ହେଲେ। ସେପଟେ ପୁରୀ ଲୋକସଭା ଆସନ ଅଧୀନରେ ରହିଥିବା ବିଭିନ୍ନ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ଏଥିରେ ପରିବର୍ତ୍ତନ ପାଇଁ କହିଥିଲି। ସବୁ ଦିଗରୁ ବିଫଳ ହେବା ପରେ ସେ ଟିକେଟ ଫେରାଇ ଦେଇଥିବା କହିଛନ୍ତି।

 ସୂଚନାଯୋଗ୍ୟ, ଆଜି ବିଳମ୍ବିତ ରାତିରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବ ନେଇ ବିଜ୍ଞପ୍ତି ଜାରି କରିଛନ୍ତି।

Related Posts