ଫୁଲବାଣୀରେ ଅଘଟଣ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ମା’ ଓ ଶିଶୁକନ୍ୟା ମୃତ, ବାପା ଓ ପୁଅ ଗୁରୁତର

ଫୁଲବାଣୀ: ଲଗାଣ ବର୍ଷା ଉଜାଡି ଦେଲା ହସ ଓ ଖୁସିର ସଂସାର । ଫୁଲବାଣୀ ସହରରେ ଲଗାଣ ବର୍ଷା ଫଳରେ ଏକ ମାଟିରେ ନିର୍ମିତ ଘର କାନ୍ଥ ଭୁଶୁଡ଼ି ପଡ଼ିଛି । ଫଳରେ ଏଥିରେ ଗୋଟିଏ ପରିବାରର ମା’ ଓ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ବାପା ଓ ପୁଅ ଗୁରୁତର ହୋଇ ପଡିଛନ୍ତି।

ଫୁଲବାଣୀ ସହରର କାର୍ମେଲ ସ୍କୁଲ ପଛପାଖ ତ୍ରିଦେବନଗରରେ ଆଜି ଅପରାହ୍ନ ୩ଟାବେଳେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ ତ୍ରିଦେବନଗରର ବ୍ରଜବନ୍ଧୁ ମାଝି (୪୫)ଙ୍କ ପରିବାର ଲୋକେ ଘରେ ବସି ଖାଉଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ବାପା, ମା’, ପୁଅ ଓ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ମା’ ସମେତ ୫ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ଜଣକ ବ୍ରଜବନ୍ଧୁ ମାଝିଙ୍କ ପତ୍ନୀ ସୁରତୀ ମାଝି (୪୨) ଓ ଝିଅ ସ୍ମୃତି ମାଝି (୫) ବୋଲି ଜଣାପଡ଼ିଛି। ବାପା ବ୍ରଜବନ୍ଧୁ ମାଝି ଓ ପୁଅ ରୋହନ ମାଝି (୩) ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏମାନେ କାନ୍ଥ ମଧ୍ୟରେ ଚାପି ହୋଇ ଦୀର୍ଘ ସମୟ ରହିଥିଲେ।

ତେବେ ସ୍ଥାନୀୟ ଲୋକେ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳ‌ରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ମାତ୍ର, ମା’ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜିର ଏହି ଘଟଣା ଫୁଲବାଣୀ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Related Posts