ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛାୱଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଦାଏର ହେବାକୁ ଥିବା ‘ରିଭ୍ୟୁ ପିଟିସନ୍‌’କୁ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଅନୁମୋଦନ କରିଛନ୍ତି। ଏହି ମାମଲାରେ ସୁପ୍ରିମକ‌ୋର୍ଟରେ ସରକାରଙ୍କ ପ୍ରତିନିଧିତ୍ୱ କରିବା ଲାଗି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଐଶ୍ବର୍ଯ୍ୟା ଭାଟିଙ୍କ ନିଯୁକ୍ତିକୁ ମଧ୍ୟ ଉପରାଜ୍ୟପାଳ ସାକ୍‌ସେନା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, ତେବେ ମୁକ୍ତ ହୋଇଥିବା ୩ ବ୍ୟକ୍ତିଙ୍କ ବିରୋଧରେ ୨୦୧୨ ଫେବୃଆରୀରେ ଜଣେ ୧୯ ବର୍ଷୀୟ ତରୁଣୀଙ୍କୁ ଅପହରଣ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସ୍ପଷ୍ଟ ପ୍ରମାଣ ଅଭାବରୁ ଛାୱଲା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଉକ୍ତ ୩ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ସପ୍ତାହେ ତଳେ ଦୋଷମୁକ୍ତ କରିଥିଲେ।

ତେବେ ୨୦୧୪ରେ ଟ୍ରାଏଲ୍‌ କୋର୍ଟ ଏହି ମାମଲାକୁ ଅତ୍ୟନ୍ତ ବିରଳ ମାମଲା ଦର୍ଶାଇ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଉକ୍ତ ରାୟକୁ କାଏମ ରଖିଥିଲେ। କିନ୍ତୁ, ସୁପ୍ରିମ୍‌ କ‌ୋର୍ଟ ଦୋଷ ମୁକ୍ତ କରିବା ପରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ନିକଟ ଅତୀତରେ ରୋହିଣୀ ଜେଲ୍‌ରୁ ୨ଜଣ ଅଭିଯୁକ୍ତ ବାହାରିବା ପରେ ନିହତ ଯୁବତୀଙ୍କ ପିତାମାତା ଭୟରେ ପୁଲିସ ସହାୟତା ଲୋଡ଼ିଥିଲେ।

ଏହାପରେ ଦିଲ୍ଲୀ ମହିଳା କମିସନ୍ ଦିଲ୍ଲୀ ପୁଲିସକୁ ଏକ ନୋଟିସ ଜାରି କରି କହିଛନ୍ତି ଯେ, ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ଅଭିଯୁକ୍ତମାନଙ୍କୁ ଜେଲରୁ ମୁକ୍ତ କରାଯିବାରୁ ନିହତ ଯୁବତୀଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉ।