ନୂଆଦିଲ୍ଲୀ: ଆୟକର ବିଭାଗ ଜାଲରେ ହିରୋ ମୋଟୋକର୍ପ’ର ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ସମେତ କେତେକ ଉଚ୍ଚସ୍ତରୀୟ କର୍ମଚାରୀ । ସମସ୍ତଙ୍କ ବାସଭବନ ସମେତ ଅଫିସ୍‌ରେ ଚଢ଼ାଉ କରିଛି ଆୟକର ବିଭାଗ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋଟର୍ ଅନୁସାରେ, ଆଜି ସକାଳୁ ମୁଞ୍ଜାଲ୍‌ଙ୍କ ଗୁରୁଗ୍ରମାସ୍ଥିତ ବାସଭବନ ଏବଂ ଅଫିସ୍‌ରେ ଖାନତଲାସ ଆରମ୍ଭ ହୋଇଛି। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ବାସଭବନ ସମତେ ‘ହିରୋ ମୋଟୋକର୍ପ’ର ୨୫ଟି ସ୍ଥାନରେ ଚଢ଼ାଇ ଅଭିଯାନ ଚାଲିଛି।

ଦିଲ୍ଲୀ ଏବଂ ଗୁରୁଗ୍ରାମ ତଥା ଉତ୍ତର ଭାରତର ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

କିନ୍ତୁ, ଚଢ଼ାଉର ପ୍ରକୃତ କାରଣ କ’ଣ ତାହା ହଠାତ୍‌ ଜଣାପଡ଼ିନାହିଁ। ଚଢ଼ାଉପରେ ପରେ ‘ବିଏସ୍‌ଇ’ରେ ‘ହିରୋ ମୋଟୋକର୍ପ’ର ସେୟାର୍‌ ବିକ୍ରି ୧% ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ କେନ୍ଦ୍ରୀୟ ଆମେରିକାର ୪୦ଟି ଦେଶରେ ପବନ ମୁଞ୍ଜାଲ୍‌ଙ୍କ ନେତୃତ୍ବାଧୀନ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ର ଉପସ୍ଥିତି ରହିଛି। ଏହି କମ୍ପାନିର ଭାରତରେ ୬ଟି କଲମ୍ବିଆ ଏବଂ ବାଂଲାଦେଶରେ ୧ଟି ଲେଖାଏଁ ଯାନ ନିର୍ମାଣ କାରଖାନା ରହିଛି।

ସେପଟେ ଏହି ଚଢ଼ାଉ ସଂକ୍ରାନ୍ତରେ ‘ହିରୋ ମୋଟୋକର୍ପ’ରୁ କ‌ୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଚଢାଉ ର କାରଣ ଓ କେତେ ସମ୍ପତ୍ତି ଜବତ ହୋଇଛି ସେନେଇ ତଥ୍ୟ ମିଳିପାରିନାହିଁ ।