ଚଣ୍ଡିଗଡ଼ : ନିକଟରେ କଂଗ୍ରେସରୁ ଭାଜପାରେ ସାମିଲ ହୋଇଥିବା ପଞ୍ଜାବର ୪ଜଣ ନେତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କଙ୍ଗର, ପୂର୍ବତନ ବିଧାୟକ ଜଗଦୀପ ସିଂ ନାକାଇ ଏବଂ ଅମରଜିତ ସିଂ ଟିକ୍କାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଜୀବନ ପ୍ରତି ବିପଦ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ନେତାମାନଙ୍କୁ ଏକ୍ସ ବର୍ଗର ସୁରକ୍ଷା ପ୍ରଦାନ କରିଛି।

ତଦନୁଯାୟୀ ଏବେ ସିଆର୍‌ପିଏଫ୍‌ ଯବାନମାନେ ଏହି ନେତାମାନଙ୍କୁ ସୁରକ୍ଷା ଦେବେ।

କହିରଖୁଛୁ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଏହି ନେତାମାନେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏମାନେ ଭାଜପାରେ ସାମିଲ ହୋଇଥିଲେ। ପୂର୍ବରୁ ଅକ୍ଟୋବରରେ ଆଇବି ରିପୋର୍ଟ ଆଧାରରେ ପଞ୍ଜାବର ୫ଜଣ ଭାଜପା ନେତାଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏହି ନେତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ଭାଜପାରେ ଯୋଗ ଦେଇଥିଲେ ।