ବଢୁଛି ଏଲଜେପି କନ୍ଦଳ : ଚିରାଗଙ୍କ ଚେତାବନୀ – “ମୁଁ ସିଂହର ପୁଅ ଲଢେଇ ପାଇଁ ପ୍ରସ୍ତୁତ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଲଜେପିରେ ଦଳୀୟ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ଦଳର ୫ ଜଣ ଲୋକସଭା ସାଂସଦ ଚିରାଗ ପାଶୱାନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ତାଙ୍କ ଦାଦା ପଶୁପତି କୁମାର ପାରସଙ୍କୁ ଏଲଜେପିର ନୂଆ ସଂସଦୀୟ ଦଳ ନେତା ମଧ୍ୟ କରିଥିଲେ। ଏହାକୁ ନେଇ ଏବେ ଚିରାଗ କ୍ୟାମ୍ପ ଏବଂ ପଶୁପତି କ୍ୟାମ୍ପ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏହା ମଧ୍ୟରେ ଗତ କାଲି ସ୍ବର୍ଗତ ରାମ ବିଲାସ ପାଶ୍ୱାନଙ୍କ ପୁଅ ଚିରାଗ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜକୁ ସିଂହର ପୁଅ ବୋଲି କହିବା ସହ ସେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଚିରାଗ କହିଛନ୍ତି, ଅକ୍ଟୋବର ୮ରେ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ ପରେ ତୁରନ୍ତ ବିହାର ବିଧାନସଭା ନିର୍ବାଚନକୁ ଯିବାକୁ ପଡ଼ିଥିଲା। ନିର୍ବାଚନରେ ଦଳ ୬ ପ୍ରତିଶତ ଭୋଟ୍ ପାଇଥିଲା ଏବଂ ସେ କୌଣସି ବି ପରିସ୍ଥିତିରେ ବୁଝାମଣା କରିନାହାନ୍ତି ବୋଲି କହିଛନ୍ତି । ଜେଡିୟୁ ଠାରୁ ଅଲଗା ରହିବା ଦଳର ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ଜେଡିୟୁ ଉପରେ ଗମ୍ଭୀର ଆରୋପ ଲଗାଇ ସେ କହିଛନ୍ତି ଯେ ତାଙ୍କ ବାପା ଅର୍ଥାତ ରାମ ବିଳାସ ପାଶୱାନ ଯେତେବେଳେ ଡାକ୍ତରଖାନାରେ ଥିଲେ ସେତେବେଳେ ମଧ୍ୟ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରଯାଉଥିଲା ବୋଲି ଚିରାଗ ଅଭିଯୋଗ କରିଛନ୍ତି । ତାଙ୍କ ପାର୍ଟିର କିଛି ଲୋକ ସଂଘର୍ଷ କରିବାକୁ ଚାହାନ୍ତି ନାହିଁ। ଯଦି ଆମେ ବିହାରରେ ନୀତୀଶ କୁମାରଙ୍କ ସହିତ ଲଢ଼େଇ କରିଥା’ନ୍ତେ, ତା’ହେଲେ ଆମକୁ ଅଧିକ ବହୁମତ ମିଳିଥାଆନ୍ତା।କିନ୍ତୁ ବିଧାନସଭା ନିର୍ବାଚନରେ ମୋତେ ଦାଦାଙ୍କ ସହ ଅନେକ ନେତାଙ୍କ ସମର୍ଥନ ମିଳି ନଥିଲା ବୋଲି ଚିରାଗ ପାଶୱାନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସେ ତାଙ୍କ ଦାଦାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ଯଦି ସେ ଚାହିଁଥାନ୍ତେ ତେବେ ସଂସଦୀୟ ଦଳର ନେତା କରିବାକୁ ପ୍ରସ୍ତୁତ ଥିଲେ ବୋଲି ଚିରାଗ କହିଛନ୍ତି। ତେବେ ସେଥିରୁ କୌଣସି ସୁଫଳ ନମିଳିବାରୁ ସେ ଏବେ ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ ନିଜକୁ “ସେର୍ କା ବଚା” ଅର୍ଥାତ୍ ସିଂହର ପୁଅ ବୋଲି କହିବା ସହ ଏବେ ଲମ୍ବା ଲଢ଼େଇ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସେ ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇବାକୁ ଚାହୁଁ ନଥିଲେ, କିନ୍ତୁ ଅନୁଶାସନ ପାଇଁ ତାଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି ବୋଲି ଚିରାଗ କହିଛନ୍ତି । ନିଜର ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇ ସେ କହିଛନ୍ତି ମୋତା ଟାଇଫଏଡ୍ ହୋଇଥିଲା , ମୁଁ ସୁସ୍ଥ ହେବାକୁ ସମୟ ଲାଗିଥିଲା। ଏହି ସମୟରେ ସବୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ନିତୀଶ କୁମାରଙ୍କ ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ ଜେଡିୟୁ ଏଲଜେପିକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ହେଲେ ବିହାରର ଲୋକମାନେ ମୋ ସହ ଓ ପାର୍ଟି ସହ ଅଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସେ ବିହାର ଏଲଜେପି ୟୁନିଟର ମୁଖ୍ୟ ଭାବେ ତାଙ୍କର ଘନିଷ୍ଠ ରାଜୁ ତିୱାରୀଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବରୁ ଏହି ପଦରେ ପ୍ରିନ୍ସ ରାଜ ଥିଲେ। ହେଲେ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୫ ଜଣ ସାଂସଦଙ୍କ ମଧ୍ୟରେ ପ୍ରିନ୍ସ ରାଜ ଥିବାରୁ ଚିରାଗ ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି।

Related Posts