ବିଶ୍ୱକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କୋଲକାତାର ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ଗୁରୁବାର ଚଳିତ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍‌ରେ ପରାସ୍ତ କରି ୫ ଥର ବିଜେତା (୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫) ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜିତିବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ମିସ୍‌ ଫିଲ୍ଡିଂ ସମେତ ଅନେକ ତ୍ରୁଟି ପାଇଁ ସଫଳ ହୋଇପାରି ନାହିଁ।

ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଖେଳିବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। କଙ୍ଗାରୁ ଦଳ ଆସନ୍ତା ୧୯ ତାରିଖ (ରବିବାର)ରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୂର୍ବରୁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ସାରିଥିବା ଶକ୍ତିଶାଳୀ ଭାରତୀୟ ଟିମ୍‌କୁ ମୁକାବିଲା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍‌ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ଅଷ୍ଟ୍ରେଲିଆ ୬ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମୁକାବିଲାରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା। କଙ୍ଗାରୁ ଦଳ ୪୭.୨ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ ସଂଗ୍ରହ କରିବା ସହିତ ସେମି ଫାଇନାଲ ମ୍ୟାଚ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଟ୍ରେଭିସ୍‌ ହେଡ୍‌ ଓ ଡେଭିଡ ୱାର୍ଣ୍ଣର ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ଦଳ ପାଇଁ ପ୍ରଥମ ୱିକେଟ୍‌ରେ ୬୦ ରନ୍‌ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକାର ବୋଲରମାନେ ନିରାଶ ହୋଇ ନଥିଲେ। କଙ୍ଗାରୁ ଦଳର ସ୍କୋର ୧୩୫ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ପାଭିଲିଅନ୍‌ ପଠାଇ ସାରିଥିଲେ। ଟ୍ରେଭିସ୍‌ ହେଡ ବ୍ୟକ୍ତିଗତ ଭାବେ ୪୮ଟି ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ବଳରେ ୬୨ ରନ୍‌ କରିଥିଲେ। ୱାର୍ଣ୍ଣର ୨୯ ରନ୍‌, ମିଚେଲ ମାର୍ସ ଶୂନ୍ୟ, ମାର୍ନସ ଲବୁସାନ ୧୮ ରନ୍‌ ଓ ଗ୍ଲେନ ମେକ୍ସୱେଲ ୧ ରନ୍‌ରେ ଆଉଟ୍‌ ହୋଇଥିଲେ।

ସେହିପରି ଷ୍ଟିଭେନ୍‌ ସ୍ମିଥ ୬୨ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୩୦ ରନ୍‌ କରିଥିଲେ। ଜୋସ୍‌ ଇଙ୍ଗିଲିସ ୨୯ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍‌ କରିଥିଲେ। ମିଚେଲ ଷ୍ଟାର୍କସ ଅପାରାଜିତ ୧୬ ଓ ଅଧିନାୟକ ପେଟ୍‌ କମିନ୍ସ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଗେରଲାର୍ଡ କୋର୍ଟଜି ଓ ‌ତବରେଜ୍‌ ଶାମ୍ସି ୨-୨ଟି ୱିକେଟ୍‌ ନେଇଥିଲେ। କାଗିସୋ ରବାଡ଼ା, ଐଦେନ ମାର୍କରମ ଓ କେଶବ ମହାରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ତେମ୍ବା ବଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଟିମ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ଦଳ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ଡେଭିଡ ମିଲରଙ୍କ ଶତକ ବଳରେ ୨୧୨ ରନ୍‌ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। କଙ୍ଗାରୁ ଦଳର ସମସ୍ତ ବୋଲରଙ୍କୁ ହତାଶ କରିଥିଲେ ମଧ୍ୟ ଶତକ ହାସଲ କରିବା ପରେ ସେ ଏକ ବଡ଼ ସର୍ଟ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ସେ ପାଭିଲିଅନ ଫେରି ଆସିବା ପୂର୍ବରୁ ୧୧୬ଟି ବଲ୍‌ ସାମ୍ନା କରି ୮ଟି ଚୌକା ଓ ୫ଟି ଛକା ବଳରେ ୧୦୧ ରନ୍‌ କରିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ ହେନିରିକ୍‌ କ୍ଲାଁସେ ଓ ଡେଭିଡ ମିଲର ଆଶା ସଂଚାର କରିଥିଲେ। ଉଭୟ ଖେଳାଳି ୫ମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗିଦାରୀ କରିପାରିଥିଲେ। ହେନିରିକ୍‌ କ୍ଲାଁସେ ୪୮ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କୋ ୟାନସେନ ମାତ୍ର ଗୋଟିଏ ବଲ୍‌ ସାମ୍ନା କରି ପାଭିଲିଅନ୍‌ ଫେରି ଯାଇଥିଲେ। ଟ୍ରେଭିସ୍‌ ହେଡ୍‌ ୩୧ ନମ୍ବର ଓଭରରେ ତଥା ନିଜର ପ୍ରଥମ ଓଭରରେ ୨ ଜଣ ଖେଳାଳିଙ୍କୁ ଆଉଟ୍‌ କରିବା ଫଳରେ ଅଷ୍ଟ୍ରେଲିଆକୁ ଅଧିକ ବଳ ‌ଯୋଗାଇଥିଲେ।

ଦକ୍ଷିଣ ଆଫ୍ରିକାର ସ୍କୋର୍‌ ୧୪ ଓଭର ଖେଳ ପର୍ଯ୍ୟନ୍ତ ସ୍କୋର ୪ଟି ୱିକେଟ୍‌ ବିନିମୟରେ ୪୪ ରନ୍‌ରେ ପହଞ୍ଚି ଥିଲା। ଏହାରି ମଧ୍ୟରେ ଦଳ ଆଗଧାଡ଼ିର ୪ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ଏହି ସମୟରେ ବର୍ଷା ଯୋଗୁଁ କିଛି ସମୟ ପାଇଁ ମ୍ୟାଚ୍‌ ଅଟକି ରହିଥିଲା। ଦଳୀୟ ସ୍କୋର ମାତ୍ର ଗୋଟିଏ ରନ୍‌ରେ ଅଧିନାୟକ ବଭୁମା ଆଉଟ୍‌ ହୋଇ ପାଭିଲିଅନ୍‌ ଫେରି ଯାଇଥିଲେ। ସେ ୪ଟି ବଲ୍‌ ସାମ୍ନା କରିଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ। ବିସ୍ଫୋରକ ବ୍ୟାଟର କ୍ବିଣ୍ଟନ୍‌ ଡି’କକ୍‌ ୧୪ଟି ବଲ୍‌ ଖେଳିଥିଲେ ବି ମାତ୍ର ୩ ରନ୍‌ରେ ଆଉଟ୍‌ ହୋଇଥିଲେ। କଙ୍ଗାରୁ ଦଳର ତୃତୀୟ ଶିକାର ହୋଇଥିଲେ ଐଦେନ ମାର୍କରାମ। ତାଙ୍କ ବ୍ୟାଟରୁ ୨ଟି ଚୌକା ସହାୟତାରେ ୧୦ ରନ୍‌ ଅମଳ ହୋଇଥିବା ବେଳେ ରାସି ଭାନ ଡର ଡୁସେନ ବ୍ୟକ୍ତିଗତ ଭାବେ ୬ ରନ୍‌ କରି ଆଉଟ୍‌ ହୋଇଥିଲେ।

ସେହିପରି ଗେର୍ଲାଡ କଟ୍‌ଜି ୧୯ ରନ୍‌, କେଶବ ମହାରାଜ ୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କାଗିସୋ ରବାଡ଼ା ୧୦ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ୍ସ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ଜୋସ୍‌ ହାଜେଲଉଡ ଟ୍ରେଭିସ୍‌ ହେଡ ଓ ଅଧିନାୟକ ପାଟ୍‌ କମିନ୍ସଙ୍କୁ ୨-୨ ୱିକେଟ୍‌ ମିଳିଥିଲା। ଏହି ମୁକାବିଲାରେ ଯେଉଁ ଦଳ ବିଜୟ ହାସଲ କରିବ ଆସନ୍ତା ୧୯ ତାରିଖ ଦିନ ଭାରତକୁ ଅହମଦାବାଦ୍‌ରେ ଭେଟିବ। ଚଳିତ ବିଶ୍ବକପ୍‌ରେ ଏହି ୨ଟି ଗତ ଅକ୍ଟୋବର ୧୨ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ କି ଅଷ୍ଟ୍ରେଲିଆକୁ ୧୩୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ପରାସ୍ତ କରିଥିଲା।

Related Posts