ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନେପାଳ ପ୍ରଧାନମନ୍ତ୍ରୀ ଭାରତକୁ ନେଇ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ କହିଛନ୍ତି ଯେ ଭାରତ ନେପାଳର ଜମି ଅଧିକୃତ କରିନେଇ କାଠମାଣ୍ଡୁ ବାରମ୍ବାର ଅଭିଯୋଗ କରୁଥିବା ସମୟରେ ଶାହ୍ କହିଛନ୍ତି, ନେପାଳ ମଧ୍ୟ ଭାରତୀୟ ଅଞ୍ଚଳ ଅଧିକୃତ କରିଛି। ଶାହ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ତଥ୍ୟ ଜାଣିବାକୁ ପାଇଛନ୍ତି । ଭାରତ କେବଳ ନେପାଳର ଅଞ୍ଚଳକୁ ଅକ୍ତିଆର କରି ନାହିଁ, ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତୀୟ ଅଞ୍ଚଳ ଅକ୍ତିଆର କରିଛି।

ଏବେ ଉଭୟ ଦେଶ ତଥ୍ୟ ଅଧ୍ୟୟନ କରି ବନ୍ଧୁତ୍ୱପୂର୍ଣ୍ଣ ଭାବେ ଏକତ୍ର ବସି ସମାଧାନ କରିବା ଉଚିତ୍ ।ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାଣି ଅଞ୍ଚଳର ସୀମା ବିବାଦକୁ ସ୍ୱୀକାର କରି ଶାହ୍ କହିଛନ୍ତି ଯେ, ଏହି ସମସ୍ୟା ଉଭୟ ଦେଶ ମଧ୍ୟରେ ସମ୍ପର୍କର ଏକ ବଡ଼ ଅସୁବିଧା । ଐତିହାସିକ ଏବଂ ବିଶେଷଜ୍ଞଙ୍କ ସହାୟତା ନେଇ ସମାଧାନ ଖୋଜିବାକୁ ସେ ପରାମର୍ଶ ଦେଇଛନ୍ତି। ନେପାଳ ଏହି ପ୍ରସଙ୍ଗ ଚୀନ୍ ଏବଂ ଇଂଲଣ୍ଡ ସହିତ ମଧ୍ୟ ଉଠାଇଛି ବୋଲି କହିଛନ୍ତି। ଶାହାଙ୍କ ଏଭୂଳି ମନ୍ତବ୍ୟ ପରେ ନେପାଳର ବିରୋଧୀ ଦଳ, ସୀମା ବିଶ୍ଳେଷକମାନେ ତୀବ୍ର ସମାଲୋଚନା କରିଛନ୍ତି।

ସେମାନେ କହିଛନ୍ତି, ଏହା ଭାରତ ସହିତ ଭବିଷ୍ୟତ ଆଲୋଚନାରେ ନେପାଳର ଅବସ୍ଥାନକୁ ଦୁର୍ବଳ କରିଦେଇଛି ।ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରମାଣ ଦିଅନ୍ତୁ ନହେଲେ ବକ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଭାରତ ପକ୍ଷରୁ ଶାହଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଆସି ନାହିଁ। କିନ୍ତୁ ଭାରତ ପୂର୍ବରୁ କହିଛି ଯେ, ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଉତ୍ତରାଖଣ୍ଡର ଅଂଶ ଏବଂ ଏହି ସମସ୍ୟା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ୍ ବୋଲି କହିଛନ୍ତି।