ଭାରତ ଯୋଡୋ ଯାତ୍ରା; ଉଜ୍ଜୟିନୀରେ ରାହୁଲ ଗାନ୍ଧିଙ୍କ ସାମିଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ଏବେ ମଧ୍ୟପ୍ରଦେଶରେ ପହଂଚିଛି । ତେବେ ଆଜି ଏହି ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର। ୮୩ ଦିନରେ ପହଞ୍ଚିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସ୍ୱରା। ଆଜି ଉଜ୍ଜୟିନୀରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱଧୀନ ଭାରତ ଯୋଡୋ ଯାତ୍ରାରେ ସ୍ୱରା ଭାସ୍କରଙ୍କ ସମେତ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ଯୋଗ ଦେଇଛନ୍ତି।

ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବା ପାଇଁ ଅଭିନେତ୍ରୀ ସ୍ୱରା ବୁଧବାର ଦିନ ଇନ୍ଦୋରରେ ପହଞ୍ଚିଥିଲେ। ଏହାପରେ ଆଜି ସକାଳେ ଯାତ୍ରା ଆରମ୍ଭ ହେବା ପରେ ସେ ରାହୁଲ୍ ଗାନ୍ଧିଙ୍କ ସହିତ ମିଶି କିଛି ବାଟ ଚାଲିଥିଲେ।

ତେବେ ନିଜର ବିଜେପି ବିରୋଧୀ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ସ୍ୱରା ପ୍ରାରମ୍ଭରୁ ହିଁ ଏହି ଯାତ୍ରାକୁ ସମର୍ଥନ କରୁଛନ୍ତି । ଏଥିସହ ରାହୁଲ ଗାନ୍ଧିଙ୍କ ଉଦ୍ୟମକୁ ସେ ପ୍ରଶଂସା କରନ୍ତି। ଆଜିର ଏହି ଯାତ୍ରାରେ ସ୍ୱରାଙ୍କ ବ୍ୟତୀତ ରାହୁଲ୍‌ଙ୍କ ସହିତ ରାଜ୍ୟସଭା ସଂସଦ ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମ୍‌ଚନ୍ଦ ଗୁଡ୍ଡୁ, ଅଖିଳ ଭାରତ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶୋଭା ଓଝା ମଧ୍ୟ ଯୋଗ ଦେଇଛନ୍ତି।

ଗୋଟିଏ ଦିନର ବିରତି ପରେ ଆଜି ଆରମ୍ଭ ହୋଇଥିବା ଏହି ଯାତ୍ରା ଅଗର ମାଲ୍‌ୱା ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହା ହେଉଛି ମଧ୍ୟପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟ।

Related Posts