ଜମ୍ମୁ-କାଶ୍ମୀରରେ ପ୍ରବେଶ କଲା ଭାରତ ଯୋଡୋ ଯାତ୍ରା; ପ୍ରଥମ ଥର ପାଇଁ ଜ୍ୟାକେଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): କଡ଼ା ସୁରକ୍ଷା ମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଆଜି ଜମ୍ମୁ-କାଶ୍ମୀରରେ ପ୍ରବେଶ କରିଛି। ତେବେ ଜମ୍ମୁ କାଶ୍ମୀର ହେଉଛି ଭାରତ ଯୋଡ଼ୋ ଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ। ଭାରତ ‌ଯୋଡ଼ୋ ଯାତ୍ରା ଏଠାରେ ଶେଷ ହେବ। ଆଜି ରାହୁଲ ଜମ୍ମୁ-କଶ୍ମୀରର କାଠୁଆରେ ନିଜର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମ କରି ସେ ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

ପୂର୍ବରୁ ଉତ୍ତର ଭାରତରେ ଲାଗି ରହିଥିବା ହାଡ଼ଭଙ୍ଗା ଶୀତରେ ମଧ୍ୟ ରାହୁଲ କେବଳ ଟି-ସାର୍ଟ ପିନ୍ଧି ପଦଯାତ୍ରା କରୁଥିବାର ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବା ଦିନଠାରୁ ନେଇ ପଞ୍ଜାବ-ହିମାଚଳ ପର୍ଯ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।

ରାହୁଲଙ୍କୁ କେବଳ ଟି-ସାର୍ଟ ପିନ୍ଧିବା କାରଣରୁ ଅନେକ ଲୋକ ତାଙ୍କୁ ସମାଲୋଚନା ବି କରିଥିଲେ। ରାହୁଲଙ୍କ ବିରୋଧୀ ମାନେ କହିଥିଲେ ଯେ, ‘ରାହୁଲ ଏମିତି କଣ ଖାଉଛନ୍ତି ‌ଯେ ତାଙ୍କୁ ଏତେ ଶୀତରେ ବି ଥଣ୍ଡା ଲାଗୁନାହିଁ।’ ଯାହାର ଉତ୍ତରରେ ରାହୁଲ କହିଥିଲେ, ‘ମୁୁଁ ଶୀତକୁ ଭୟ କରେ ନାହିଁ, ସେଥିପାଇଁ ମୋତେ ଥଣ୍ଡା ଲାଗୁନାହିଁ।’

ତେବେ ଜାମ୍ମୁ-କଶ୍ମୀରରେ ପ୍ରବେଶ କରିବା ଅବସରରେ ରାହୁଲ ଏକ ଜନସଭାରେ କହିଛନ୍ତି ଯେ, ‘ଆଜି ମୁଁ ମୋ ଘରକୁ ଆସିଛି କାରଣ ମୋ ପରିବାର ଜମ୍ମୁ କଶ୍ମୀରର।’ ଉଲ୍ଲେଖଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ଆସନ୍ତା ଜାନୁଆରି ୩୦‌ରେ ଶ୍ରୀନଗରରେ ଶେଷ ହେବ।

Related Posts