ଗୁଜୁରାଟ ଦଙ୍ଗାକୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି: ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍, ପାକିସ୍ତାନୀ ବଂଶୋଦ୍ଭବ ସାଂସଦଙ୍କୁ ସମାଲୋଚନା

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରିକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ୨୦୦୨ର ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ଏହି ଡକ୍ୟୁମେଣ୍ଟାରିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକାକୁ ନେଇ ଉଠିଥିବା ପ୍ରଶ୍ନ ବିବିସିକୁ ଏବେ ଅଡ଼ୁଆରେ ପକାଇଛି। ସେପଟେ ଗୁଜରାଟ ଦଙ୍ଗାକୁ ନେଇ ବିବିସିର ଡକ୍ୟୁମେଣ୍ଟାରି ପ୍ରସଙ୍ଗ ବ୍ରିଟିଶ ସଂସଦ​ରେ ମଧ୍ୟ ଉଠିଛି। ତେବେ ଏହି ପ୍ରସଙ୍ଗରେ ନିଜେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ରହିଥିଲେ। ସୁନକ ଏହି ଡକ୍ୟୁମେଣ୍ଟାରି ଉପରେ ଅସହମତି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ବ୍ରିଟେନର ସଂସଦରେ ପାକିସ୍ତାନୀ ବଂଶୋଦ୍ଭବ ସାଂସଦ ଇମ୍ରାନ ହୁସୈନ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଦାୟୀ ବୋଲି କହିଥିଲେ। ଅବଶ୍ୟ ପ୍ରଧାନମନ୍ତ୍ରୀ ସୁନକ୍ ଏହାକୁ ଅଗ୍ରାହ୍ୟ କରିବା ସହ ବ୍ରିଟିଶ ସଂସଦରେ ମୋଦୀଙ୍କ ପକ୍ଷରେ କହିବା ସହ, ସୁନକ ନିଜକୁ ବିବିସି ଡକ୍ୟୁମେଣ୍ଟାରି ଠାରୁ ନିଜକୁ ଅଲଗା ରଖିଛନ୍ତି। ସୁନକ କହିଛନ୍ତି ଯେ, ଡକ୍ୟୁମେଣ୍ଟାରିରେ ଯେଉଁଭଳି ଭାବରେ ତାଙ୍କର ଭାରତୀୟ ସମକକ୍ଷଙ୍କୁ ଦର୍ଶାଯାଇଛି ସେଥିରେ ସେ ସହମତ ନୁହଁନ୍ତି। ସୁନକ ଆହୁରି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ତାଙ୍କ ସରକାରଙ୍କ ନୀତି ସ୍ପଷ୍ଟ। ଆମେ କେବେବି ଉତ୍ପୀଡ଼ନକୁ ବରଦାସ୍ତ କରୁନାହିଁ, ସେ କେଉଁଠିବି ହେଉନା କାହିଁକି। କିନ୍ତୁ ଡକ୍ୟୁମେଣ୍ଟାରିରେ ମାନନୀୟ ପିଏମ ମୋଦୀଙ୍କ ଯେଉଁ ଚରିତ୍ର ଚିତ୍ରଣ କରାଯାଇଛି, ମୁଁ ସେଥିରେ ସହମତ ନୁହେଁ ବୋଲି ସଂସଦରେ ସୁନକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିବିସି ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ଉପରେ ଟାର୍ଗେଟ କରି ଦୁଇଟି ପାର୍ଟ ବିଶିଷ୍ଟ ଡକ୍ୟୁମେଣ୍ଟାରି ପ୍ରସାରିତ କରିଛି। ଏହି ଡକ୍ୟୁମେଣ୍ଟାରି ରିଲିଜ୍‌ ହେବାପରେ ଏହାର ବିବାଦ ଆରମ୍ଭ ହୋଇଥିଲା। ଯାହାପରେ ବିବିସି ଏହାକୁ ନିର୍ଦ୍ଧିଷ୍ଟ ପ୍ଲାଟଫର୍ମରୁ ହଟାଇଥିଲା।

ଅନ୍ୟପଟେ ଏହି ଡକ୍ୟୁମେଣ୍ଟାରି ଅପପ୍ରଚାରର ଏକ ଅଂଶ ବୋଲି ଭାରତ କହିଛି । ବୈଦେଶିକ ମନ୍ତ୍ରାଳୟ ଏନେଇ କହିଛି ଯେ ପକ୍ଷପାତିତା, ତଥ୍ୟରେ ଅଭାବ ଓ ଉପନିବେଶବାଦ ମାନସିକତା ଏଥିରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ଏହି ଘଟଣାର ଉଦ୍ଦେଶ୍ୟ ଏବଂ ଏହା ପଛରେ ଥିବା ଏଜେଣ୍ଡା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି।

Related Posts