ଔଷଧ ରପ୍ତାନୀରେ ରେକର୍ଡ଼ ସୃଷ୍ଟି କଲା ଭାରତ: ବର୍ଷ 2013-14 ପର ଠାରୁ 103 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ବାବଲମ୍ବୀ ହେଇଚି ଭାରତ । ସମଗ୍ର ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଛି। ବର୍ଷ 2013-14 ପର ଠାରୁ ଭାରତର ଔଷଧ ରପ୍ତାନୀରେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ପ୍ରାୟ 103 ପ୍ରତିଶତକୁ ବୃଦ୍ଧି ପାଇଛି ଔଷଧ ରପ୍ତାନି। ଆର୍ଥିକ ବର୍ଷ 2013-14ରେ ଏହି ରପ୍ତାନୀ ପରିମାଣ 90,415 କୋଟିର ରହିଥିବାବେଳେ ଚଳିତ ଆର୍ଥିକ ବର୍ଷ (2021-22) ରେ 1,83,422 କୋଟିର ରପ୍ତାନୀ କରିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଔଷଧ ରପ୍ତାନୀରେ ଭାରତ ସମସ୍ତ ପୂର୍ବ ରେକର୍ଡ ଅତିକ୍ରମ କରିବା ସହ ସର୍ବକାଳୀନ ରେକର୍ଡ ମଧ୍ୟ କରିଛି । ଗତ 8 ବର୍ଷରେ ଏହି ରପ୍ତାନୀ ପରିମାଣ ପ୍ରାୟ 10 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ମନ୍ତ୍ରଣାଳୟ କହିଛି ।

କେନ୍ଦ୍ର ବାଣିଜ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବୀ ନେତୃତ୍ବ ପାଇଁ ଏହା ସମ୍ଭବ ହୋଇପାରିଛି । ଭାରତ ବର୍ତ୍ତମାନ ବିଶ୍ବ ଫାର୍ମାସି ‘pharmacy of the world’ ଭାବେ ଉଭା ହୋଇଛି । ଔଷଧ ରପ୍ତାନୀ କ୍ଷେତ୍ରରେ ଗତବର୍ଷ ଗୁଡିକରେ କ୍ରମାଗତ ଭାବେ ଭାରତ ଭଲ ପ୍ରଦର୍ଶନ କରି ଚାଲିଥିବାବେଳେ ଆର୍ଥିକ ବର୍ଷ 2020-21 ଓ 2021-22ରେ ମଧ୍ୟ ଆଶାନୁରୂପକ ଭାବେ ଭଲ ପ୍ରଦର୍ଶନ କରିଛି ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କୋଭିଡ ସଙ୍କଟ ସମୟରେ ଭାରତ ଏକାଧିକ ଦେଶକୁ କୋଭିଡ ସମ୍ପର୍କିତ ଜରୁରୀ ଔଷଧ ଯୋଗାଇଛି । ଜରୁରୀକାଳୀନ ସମୟରେ ବିଶ୍ବର ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶ୍ବର ଚାହିଦା ଅନୁସାରେ, ଭାରତ ମଧ୍ୟ ତାର ଔଷଧ ଉତ୍ପାଦନ ଓ ରପ୍ତାନୀକୁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଭାରତୀୟ ଫାର୍ମା କମ୍ପାନୀଗୁଡିକ ସେମାନଙ୍କର ମୂଲ୍ୟ ପ୍ରତିଯୋଗୀତା ଏବଂ ଉତ୍ତମ ମାନକ ଦ୍ୱାରା ସକ୍ଷମ ହେବା କାରଣରୁ ବିଶ୍ବର 60% ଟିକା ଏବଂ 20% ଜେନେରିକ ଔଷଧ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି ।

ଉତ୍ପାଦନ ଦୃଷ୍ଟିରୁ ଭାରତ ପରିମାଣରେ ବିଶ୍ବରେ 3ୟ ସ୍ଥାନ ଓ ମୂଲ୍ୟ ଦୃଷ୍ଟିରୁ 14ତମ ସ୍ଥାନରେ ରହିଛି । ବିଶ୍ବସ୍ତରୀୟ ଉତ୍ପାଦନ ଉତ୍କର୍ଷତା, ଭିତ୍ତିଭୂମି, ମୂଲ୍ୟ-ପ୍ରତିଯୋଗୀତା, ତାଲିମପ୍ରାପ୍ତ ମାନବ ସମ୍ବଳ ଏବଂ ନବସୃଜନ ଦକ୍ଷତା ଭାରତର ଫାର୍ମା ସଫଳତାର ଆଧାର ସାଜିଛି । ବର୍ତ୍ତମାନ ବିଶ୍ବ ମାନଚିତ୍ରରେ ଭାରତୀୟ ଔଷଧ ଶିଳ୍ପର ଆକାର ପ୍ରାୟ 50 ବିଲିୟନ ଡ଼ଲାରର ପହଞ୍ଚିଛି ବୋଲି ମନ୍ତ୍ରଣାଳୟ କହିଛି ।

Related Posts