ଭାରତ, ଆମେ ତ ଫାଇନାଲରେ ପହଞ୍ଚିଗଲୁ, ଆପଣ ପ୍ରସ୍ତୁତ ତ? : ଶୋଏବ ଅଖତର

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଏହି ମ୍ୟାଚରେ ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ଥିବାବେଳେ ପାକିସ୍ତାନ ଦଳର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଦେଇଥିଲେ । ବାବର ୫୩ ଓ ରିଜଓ୍ବାନ ୫୭ ରନ କରି ଆଉଟ ହୋଇଥିଲେ । ସେହିପରି ମହମ୍ମଦ ହ୍ୟାରିସ୍ ୩୦ ରନ କରିଥିଲେ ।

ପାକିସ୍ତାନ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବା ପରେ ଏ‌ବେ ସମସ୍ତଙ୍କ ନଜର ରହିଛି ଭାରତ ଉପରେ। ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରୁଛି କି ନାହିଁ ଏହାକୁ ନେଇ ଚର୍ଚ୍ଚା ଲାଗିଛି ।

ତେବେ ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ଶୋଏବ ଅଖତର ନିଜର ପ୍ରତିକ୍ରିୟା ରଖିଛନ୍ତି। ଶୋଏବ ଅଖତର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରି ନିଜ ଦଳକୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ଦଳକୁ ଫାଇନାଲରେ ଭେଟିବାକୁ ଚ୍ୟାଲେଞ୍ଜ କରିଛନ୍ତି।

ଶୋଏବ ଅଖତର କହିଛନ୍ତି, ନ୍ୟୁଜିଲ୍ୟାଣ୍ଡ ୧୯୯୨ରେ, ୧୯୯୯ରେ ଏବଂ ଏବେ ୨୦୨୨ ସେମିଫାଇନାଲରେ ହାରିଛି। ପାକିସ୍ତାନ ଫାଇନାଲରେ ପହଞ୍ଚିଥିବାରୁ ଟିମକୁ ଅଭିନନ୍ଦନ ଜଣାଉଛି। ପାକିସ୍ତାନ ଯେଭଳି ଖେଳୁଥିଲା, ସେଭଳି ସ୍ଥିତିରେ ଫାଇନାଲରେ ପହଞ୍ଚିପାରିବ ବୋଲି ମୁଁ ଭାବୁନଥିଲି। ହେଲେ ପାକିସ୍ତାନୀମାନଙ୍କୁ ଧନ୍ୟବାଦ। ଏହି ସବୁ ସେମାନଙ୍କ ପ୍ରାର୍ଥନା ପାଇଁ ଘଟିଛି। ଅସମ୍ଭବ ସମ୍ଭବ ହୋଇଛି। କମ୍ ବ୍ୟାକ୍ କରିବା ପାକିସ୍ତାନୀଙ୍କ ଆଦତ। କ୍ରିକେଟ୍ ହେଉଛି ଏମିତି ଏକ ଜିନିଷ ଯାହା ଦେଶର ଚରିତ୍ରକୁ ଦର୍ଶାଏ।

ସେ ଆହୁରି କହିଛନ୍ତି ଯେ, ଭାରତ, ଆମେ ତ ଫାଇନାଲରେ ପହଞ୍ଚିଗଲୁ। ଆପଣ ପ୍ରସ୍ତୁତ ତ? ବୋଧହୁଏ ୧୯୯୨ର ଇତିହାସ ପୁନରାବୃତ୍ତି ହେବ। ବୋଧହୁଏ ଇଂଲଣ୍ଡ ପୁଣି ଥରେ ପରାସ୍ତ ହେବ। କିନ୍ତୁ ମୁଁ ଫାଇନାଲରେ ଭାରତକୁ ଚାହୁଁଛି ବୋଲି ସେ କହିଛନ୍ତି

Related Posts