‘୨୦୨୫ ଶେଷ ସୁଦ୍ଧା ଟିବି ମୁକ୍ତ ହେବ ଭାରତ’: ଲୋକସଭାରେ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ୨୦୨୫ ଶେଷ ସୁଦ୍ଧା ଟିବି ମୁକ୍ତ ହେବ ଭାରତ। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସ୍ବାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଟିବି ର ସଫଳ ମୁକାବିଲା କରିବା ପାଇଁ ଯେଉଁ ସ୍ଥରରେ ଅଭିଯାନ ଚାଲିଛି ଏବଂ ଲୋକେ ଏଥିରେ ଯେଉଁଭଳି ଭାବରେ ସହଯୋଗ କରୁଛନ୍ତି, ଏହି ଆଧାରକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ୨୦୨୫ ଶେଷ ସୁଦ୍ଧା ଭାରତ ଟିବି ରୋଗ ମୁକ୍ତ ହୋଇସାରିଥିବ। ତେବେ ଆଜି ଲୋକସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଏହି ଟିପ୍ପଣୀ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ମାଣ୍ଡଭିୟ କହିଛନ୍ତି ଯେ, ଭାରତରେ ସ୍ବାସ୍ଥ୍ୟ କୌଣସି କାରବାର ନୁହେଁ ବରଂ ଏକ ସେବା ଅଟେ। ଆମେ ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲୁ। ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଔଷଧ ପ୍ରଦାନ କରାଯାଉଛି ଏବଂ ଏହା ସହିତ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ, ଯକ୍ଷ୍ମା ରୋଗୀଙ୍କୁ ପୋଷକ ଆହାର ସହିତ ଉପଯୁକ୍ତ ଦେଖାରଖା କିପରି କରାଯାଇପାରିବ, ସେନେଇ ଆମେ ଏକ ପୋର୍ଟାଲ ଆରମ୍ଭ କରିଥିଲୁ ଏବଂ ଲୋକଙ୍କୁ ଆହ୍ବାନ କରିଥିଲୁ ଯେ, ଯକ୍ଷ୍ମା ରୋଗୀଙ୍କ ଦେଖାର‌ଖା କରନ୍ତୁ। ତେବେ ଏହି ପଦକ୍ଷେପରେ ମାତ୍ର ୧୪ ଦିନ ଭିତରେ ୪୪ ହଜାର ଲୋକ ସାମ୍ନାକୁ ଆସିଥିଲେ, ଏବଂ ୧୨ଲକ୍ଷ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟପାଳ, ବିଧାୟକ ଓ ସାଂସଦଙ୍କ ସମେତ ସ୍ବେଚ୍ଛାସେବୀ ସଂଗଠନର ଲୋକମାନେ ପ୍ରତିଦିନ ରୋଗୀଙ୍କୁ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚରାଉଚୁରା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ସମ୍ପୁର୍ଣ୍ଣ ରୁପରେ ମୁକ୍ତ ହୋଇଯିବ ବୋଲି ବିଶ୍ବାସ ରହିଛି।

Related Posts