ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା। ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହୋଇଛି ।ଆସନ୍ତାକାଲି ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ । ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବ । ଏଥିପାଇଁ ହାରାହାରି ଅଧିକ ୧୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆଜି ମୋ ପାଇଁ ସବୁଠୁ ବଡ଼ ଖୁସିର ଦିନ। ରାଜ୍ୟରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତି ବ୍ୟବସ୍ଥା ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ବହୁତ ଦିନ ଧରି ମୁଁ ଏ ଦିନକୁ ଅପେକ୍ଷା କରିଥିଲି । ଓଡ଼ିଶାରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତିର ଯୁଗ ଶେଷ ହୋଇଛି । ଆସନ୍ତୁ ଆମେ ସମସ୍ତେ ଆହୁରି ନିଷ୍ଠାପର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣ ପରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନବୀନଙ୍କ ଜନ୍ମଦିନର ଠିକ୍ ପୂର୍ବରୁ ଏଭଳି ଘୋଷଣା ସମସ୍ତଙ୍କୁ ଖୁସି କରି ଦେଇଛି ।

Related Posts