
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରାୟ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ । ଏହାର ଭିତରେ ବାଂଲାଦେଶ ଉପକୂଳରେ ବାତ୍ୟା ‘ସିତ୍ରାଙ୍ଗ’ ସ୍ଥଳଭାଗ ଛୁଇଁବାରୁ ସେମାନେ ଆଉ କୂଳକୁ ଫେରି ପାରିନଥିଲେ। ଫଳରେ ଅଶାନ୍ତ ସମୁଦ୍ରରେ ସେମାନେ ବୋଟରେ ଥିବା ବେଳେ ଅତ୍ୟଧିକ ଝଡ଼ ଯୋଗୁଁ ସେମାନଙ୍କ ବୋଟ ଟି ବୁଡ଼ିଯାଇଥିଲା ।
ଫଳରେ ମଝି ସମୁଦ୍ରରେ କେବଳ କିଛି ଜାଲ ଓ ଭାସମାନ ସାମଗ୍ରୀ ଭରସାରେ ସମୁଦ୍ରରେ ମତ୍ସ୍ୟଜୀବୀ ମାନେ ଭାସିଥିଲେ ।ଏପରି ପ୍ରାୟ ୨ ଦିନ ବିତିବା ପରେ ସେମାନଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ଏହା ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ର ଡୋର୍ନିୟର ବିମାନ ସମୁଦ୍ର ଉପରେ ପଇଁତରା ମାରୁଥିବା ବେଳେ ଅସହାୟ ଅବସ୍ଥାରେ ଥିବା ଏହି ମତ୍ସ୍ୟଜୀବୀଙ୍କୁ ଠାବ କରିଥିଲା । ଏହାପରେ ତୁରନ୍ତ ଏକ ଲାଇଫ-ରାଫ୍ଟ ପକାଇବାରୁ ସେମାନେ ତାହା ଉପରକୁ ଚାଲି ଯାଇଥିଲେ ।
ଏହାପରେ ମାଲେସିଆରୁ କୋଲକାତା ଯାଉଥିବା ଏକ ପଣ୍ୟବାହୀ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ତଟରକ୍ଷୀ ବାହିନୀ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା । ଉକ୍ତ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ନିଆଗଲା । ଏହାପରେ ଭାରତୀୟ ତଟରକ୍ଷା ବାହିନୀ ର ଜାହାଜ ‘ବିଜୟ’ ମଝି ସମୁଦ୍ରରେ ପହଞ୍ଚିବାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲା ।
ଜାହାଜ ମଧ୍ୟରେ ସେମାନଙ୍କ ଚିକିତ୍ସା କରାଯିବା ପରେ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାଯାଇଛି । ଏହାପରେ ସେଠାରୁ ସେମାନଙ୍କୁ ବାଂଲାଦେଶ ଅଭିମୁଖେ ନିଆଯାଇଛି । ଭାରତ-ବାଂଲାଦେଶ ଜଳସୀମାରେ ବାଂଲାଦେଶ ତଟରକ୍ଷୀ ବାହିନୀକୁ ଏହି ୨୦ ଜଣ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯିବ । ଏବେ ବାତ୍ୟା ‘ସିତ୍ରାଙ୍ଗ’ ଶେଷ ହୋଇଥିବାରୁ ଏପରି ଅଘଟଣ ଆଶଙ୍କାରେ ସମୁଦ୍ରରେ ଭାରତ ତଟରକ୍ଷୀ ବାହିନୀ ପକ୍ଷରୁ ପାଟ୍ରୋଲିଂ କରାଯାଉଛି।