ଓଆରଏଚଡିସି ଦୁର୍ନୀତି ମାମଲା; ମେଟ୍ରୋ ବିଲଡର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲା ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡରର ନିର୍ଦ୍ଦେଶକଙ୍କୁ ଆଶ୍ବସ୍ତି । ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ମାମଲାର ଶୁଣାଣି କରି ପିଉସ ମହାନ୍ତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ସମାନ ମାମଲାରେ କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଏହାକୁ ଚାଲେଞ୍ଜ କରି ମୋକିମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମୋକିମ କରିଥିବା ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ । ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମଗାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସି ଦୁର୍ନୀତି ମାମଲାର ବିଚାର କରି ଏହାର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲ୍ଡର୍ସର ନିର୍ଦ୍ଦେଶକ ପୀୟୁଷ ମହାନ୍ତି ଓ ବିଧାୟକ ମହମ୍ମଦ ମୋକିମ ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ । ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ରାୟ ଦେଇଥିଲେ କୋର୍ଟ ।

Related Posts