ଆଇସିସି ଟେଷ୍ଟ ରାଙ୍କିଂରେ ଭାରତୀୟଙ୍କ ଦବଦବା, ଟପ୍ ୫ ଅଲରାଉଣ୍ଡରଙ୍କ ମଧ୍ୟରେ ୩ ଭାରତୀୟ ଖେଳାଳି

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ (ଆଇସିସି) ପକ୍ଷରୁ ବୁଧବାର ଟେଷ୍ଟ ରାଙ୍କିଂ ଘୋଷଣା କରାଯାଇଛି । ତାଜା ରାଙ୍କିଂରେ ଭାରତୀୟ ଖେଳାଳି ନିଜର ଦବଦବା ଜାହିର କରିଛନ୍ତି । ଟିମ୍‌ ଇଣ୍ଡିଆର ୩ ଜଣ ଖେଳାଳି ଅଲରାଉଣ୍ଡର ରାଙ୍କିଂର ଶୀର୍ଷ ୫ରେ ପହଞ୍ଚିଯାଇଛନ୍ତି । କେବଳ ଅଲରାଉଣ୍ଡର ନୁହେଁ ବୋଲିଂ ରାଙ୍କିଂରେ ବି ଭାରତୀୟଙ୍କ ଦବଦବା ଦେ‌ଖିବାକୁ ମିଳିଛି ।

ଆଇସିସି ଅଲରାଉଣ୍ଡର ତାଲିକା ଦେଖିଲେ ଶୀର୍ଷ ୫ରେ ୩ ଜଣ ଭାରତୀୟ ରହିଛନ୍ତି । ରବିନ୍ଦ୍ର ଜାଡେଜା ୪୬୦ ରେଟିଂ ସହିତ ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିଭଳି ଦ୍ବିତୀୟରେ ଭେଟେରାନ୍‌ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି । ତାଙ୍କର ରେଟିଂ ରହିଛି ୩୭୬ । ପୂର୍ବରୁ ଜାଡେଜା ଓ ଅଶ୍ବିନ କ୍ରମାନ୍ବୟରେ ଏକ ନମ୍ବର ଓ ଦୁଇ ନମ୍ବରରେ ଥିଲେ । ଏବେ କିନ୍ତୁ ଅକ୍ଷର ପଟେଲ ଟେଷ୍ଟ ଅଲରାଉଣ୍ଡର ତାଲିକାରେ ୨ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିବା ସହିତ ୨୮୩ ରେଟିଂ ପାଇଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ବ୍ୟାଟରେ କମାଲ କରିଛନ୍ତି ଅକ୍ଷର । ଯାହାର ଫଳ ସ୍ବରୂପ ଅଲରାଉଣ୍ଡର ତାଲିକାରେ ଉପରକୁ ଉପରକୁ ଯାଉଛନ୍ତି ।

ଦିଲ୍ଲୀ ଟେଷ୍ଟ ପରେ ବୋଲିଂ ରାଙ୍କିଂରେ ମଧ୍ୟ ଅଦଳବଦଳ ହୋଇଛି । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ପୂର୍ବରୁ ଶୀର୍ଷରେ ଥିବା ବେଳେ ଏବେ ତାଙ୍କୁ ଟପିଛନ୍ତି ଇଂଲଣ୍ଡର ଟେଷ୍ଟ ସ୍ପେସାଲିଷ୍ଟ ଜେମସ୍‌ ଆଣ୍ଡରସନ୍‌ । ଭାରତର ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ସ୍ଥାନ ଉପରକୁ ଉଠି ୮୬୪ ରେଟିଂ ସହ ବୋଲିଂ ରାଙ୍କିଂରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଭାରତରୁ ୩ ଜଣ ବୋଲର ରହିଛନ୍ତି । ଜସପ୍ରୀତ ବୁମରାହ ୭୯୫ ରେଟିଂ ସହ ୫ମ ସ୍ଥାନରେ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ବୋଲିଂ ରାଙ୍କିଂରେ ୭୬୩ ପଏଣ୍ଟ ସହିତ ୯ମ ସ୍ଥାନକୁ ଉଠିଛନ୍ତି ।

ସେହିଭଳି ଟେଷ୍ଟ ବ୍ୟାଟିଂ ରାଙ୍କିଂ ଉପରେ ନଜର ପକାଇଲେ, ଭାରତରୁ ଦୁଇ ଜଣ ବ୍ୟାଟର୍‌ ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି । ଋଷଭ ପନ୍ତ ୭୮୧ ରେଟିଂ ସହିତ ୬ଷ୍ଠ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୭୭୭ରେଟିଂ ସହିତ ୭ମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ମାର୍ନସ୍‌ ଲାବୁସେନ ୯୧୨ ରେଟିଂ ସହ ବିଶ୍ବର ଏକ ନମ୍ବର ଟେଷ୍ଟ ବ୍ୟାଟର୍‌ ରହିଛନ୍ତି ।

Related Posts