ରୋମାନିଆ ଏବଂ ହଙ୍ଗେରି ସୀମା ଦେଇ ୪ଟି ବିମାନ ଯୋଗେ ଆସିବେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକ: ସୁରକ୍ଷା ସୁନିଶ୍ଚିତ କଲେ ଋଷ ରାଷ୍ଟ୍ରପତି

ୟୁକ୍ରେନରେ ଫସିରହିଛନ୍ତି ଭାରତୀୟ ନାଗରିକ | ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଭୟର ବାତାବରଣ ଖେଳାଇଥିବା ବେଳେ, ଭାରତ ନିଜ ନାଗରିକ ମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ | ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କସରତ ଚଳାଇଛି ଭାରତ | ନାଗରିକଙ୍କୁ ରୋମାନିଆ ଏବଂ ହଙ୍ଗେରି ସୀମା ଦେଇ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟଙ୍କୁ ସ୍ବଦେଶ ଫେରାଇବା ଲାଗି ଶୁକ୍ରବାର ଏବଂ ଆଜି(ଶନିବାର) ରୋମାନିଆ ରାଜଧାନୀ ବୁକାରେଷ୍ଟକୁ ୩ଟି ବିମାନ ଉଡାଣ ଭରିଥିବାବେଳେ ହଙ୍ଗେରି ରାଜଧାନୀ ବୁଦାପେଷ୍ଟ ଅଭିମୁଖେ ଗୋଟିଏ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଛି ।

ଯାହା ସୂଚନା ରହିଛି, ୟୁକ୍ରେନର ପଶ୍ଚିମ ବର୍ଡର ଦେଇ ବିମାନ ଯୋଗେ ଭାରତୀୟଙ୍କୁ ଉଦ୍ଧାର କରାଯିବ । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ସମସ୍ୟା ନ ହୁଏ ତାହା ସୁନିଶ୍ଚିତ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଭାରତୀୟଙ୍କ ସୁରକ୍ଷା ଦିଗରେ ଋଷ ସୈନ୍ୟବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଟିନ ମୋଦିଙ୍କୁ ଆଶ୍ବସନା ଦେଇଛନ୍ତି । ହଙ୍ଗେରି ଓ ରୋମାନିଆ ସୀମା ଦେଇ ୟୁକ୍ରେନରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏନେଇ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ।ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ହଙ୍ଗେରି ସୀମା ସ୍ଥିତ ଚପ୍-ଜାହେନି ସୀମା ଏବଂ ରୋମାନିଆ ସୀମା ସ୍ଥିତ ପୋରୁବେନ-ଷ୍ଟେଟ ସୀମାରେ ଭାରତୀୟ ଟିମ୍ ପହଞ୍ଚି ସାରିଛନ୍ତି । ଭାରତୀୟ ଦୂତବାସ ୟୁକ୍ରେନରେ ଭାରତୀୟଙ୍କୁ ସହଯୋଗ କରିବା ପାଇଁ ୨୪ ଘଣ୍ଟା କାମ କରୁଛି ବୋଲି ଦୂତବାସ ପକ୍ଷରୁ କୁହାଯାଇଛି |

ସେପଟେ ରୁଷ ୟୁକ୍ରେନ ଉପରେ କରିଥିବା ଆକ୍ରମଣ କୁ ନେଇ ରୁଷ ବିରୋଧରେ ମେଳି ବାନ୍ଧିଛନ୍ତି ବିରୋଧୀ ଦେଶ | ରୁଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ଆମେରିକା ଓ ବ୍ରିଟେନ ସହ ଏହି ସମୟରେ ୟୁରୋପୀୟ ୟୁନିୟନ, ଜାପାନ, ଅଷ୍ଟ୍ରେଲିଆ, ଓ ତାଇୱାନ ଭଳି ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ ବିଶ୍ୱର ଆଉକିଛି ଦେଶ ମଧ୍ୟ ମସ୍କୋ ଉପରେ କଡା କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି ।

Related Posts