ଲଣ୍ଡନ୍‌: ଇଂଲଣ୍ଡ୍‌ର ନୂତନ ଗୃହ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ‌ବଂଶୋଦ୍ଭବା ବାରିଷ୍ଟର୍‌ ସୁଏଲା ବ୍ରେଭର୍‌ମ୍ୟାନ୍‌ ତାଙ୍କ ପୂର୍ବରୁ ମଧ୍ୟ ଉପରୋକ୍ତ ପଦବୀରେ ଥିଲେ ପ୍ରୀତି ପଟେଲ୍‌ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବା।

ଏହା ପୂର୍ବରୁ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସଦସ୍ୟା ତଥା ଇଂଲଣ୍ଡ୍‌ର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଥିବା ଫେର୍‌ହମ୍‌ର ପାର୍ଲାମେଣ୍ଟ୍‌ ସଦସ୍ୟା ୪୨ ବର୍ଷୀୟ ବ୍ରେଭର୍‌ମ୍ୟାନ୍‌ ବୋରିସ୍‌ ଜନ୍‌ସନ୍‌ଙ୍କ ନେତୃତ୍ବାଧୀନ ସରକାରରେ ଆଟର୍ଣ୍ଣି ଜେନେରାଲ୍‌ ରୂପେ କାର୍ଯ୍ୟ କରୁଥିଲେ। ‘ଟରି’ (କଞ୍ଜର୍‌ଭେଟିଭ୍‌ ପାର୍ଟି) ନେତା ତଥା ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କ ସ୍ଥାନରେ ଆଉ ଜଣଙ୍କୁ ନିର୍ବାଚିତ କରାଯାଉ ବୋଲି ପ୍ରଥମେ ଯେଉଁ କେତେ ଜଣ ପ୍ରତିଦ୍ବନ୍ଦ୍ବୀ ପ୍ରସ୍ତାବ ଦେଇଥିଲେ, ସେମାନଙ୍କ ମଧ୍ୟରୁ ବ୍ରେଭର୍‌ମ୍ୟାନ୍‌ ଥିଲେ ଅନ୍ୟତମା।

ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ବ୍ରେଭର୍‌ମ୍ୟାନ୍‌ଙ୍କୁ ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଦୁଇ ସନ୍ତାନର ଜନନୀ ବ୍ରେଭର୍‌ମ୍ୟାନ୍‌ ହେଉଛନ୍ତି ହିନ୍ଦୁ ତାମିଲ୍‌ ମାଆ ଉମା ଏବଂ ଗୋଆରେ ଜନ୍ମିତ ପିତା କ୍ରିଷ୍ଟି ଫର୍ଣ୍ଣାଣ୍ଡେଜ୍‌ଙ୍କ କନ୍ୟା। ୧୯୬୦ ଦଶକରେ ତାଙ୍କର ମାଆ ମରିସସ୍‌ରୁ ଏବଂ ବାପା କେନିୟାରୁ ଇଂଲଣ୍ଡ ପଳାଇଥିଲେ।

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ୍‌ କରିଥିବା ସୁଏଲା ୨୦୧୮ରେ ରାଏଲ୍‌ ବ୍ରେଭର୍‌ମ୍ୟାନ୍‌ଙ୍କୁ ବିବାହ କରିଥିଲେ। ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିବାରୁ ନିୟମିତ ‘ଲଣ୍ଡନ୍‌ ବୁଦ୍ଧିଷ୍ଟ୍‌ ସେଣ୍ଟର୍‌’କୁ ଯାଆନ୍ତି। ପାର୍ଲାମେଣ୍ଟ୍‌ରେ ମଧ୍ୟ ସେ ଭଗବାନ ବୁଦ୍ଧଙ୍କ ବାଣୀ ଥିବା ସଙ୍କଳନ ‘ଧମ୍ମପଦ’ ଛୁଇଁ ଶପଥ ପାଠ କରିଥିଲେ ।