ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ : ୧୯ ପଦକ ସହ ଅଭିଯାନ ଶେଷ କଲା ଭାରତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ପାରାଲିମ୍ପିକ୍‌ ଭାରତ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ହୋଇ ରହିବ। ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ଏହି ପାରା ଅଲମ୍ପିକରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ ହାସଲ କରି ଭାରତ ଶ୍ରେଷ୍ଠ ୨୫ଟି ରାଷ୍ଟ୍ର ମଧ୍ୟରେ ରହିଛି। ଏଥରର ପାରା ଅଲମ୍ପିକରେ ଭାରତ ରେକର୍ଡ ୧୯ ପଦକ ସହ ଇତିହାସ ସୃଷ୍ଟି କରିଛି। ୧୩ ଦିନ ଧରି ଚାଲିଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ପ୍ରଥମରୁ ଚମତ୍କାର ପ୍ରଦର୍ଶନ କରିଥିଲା । ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ମାତ୍ର ୪ ପଦକ ଜିତିଥିବା ବେଳେ ଟୋକିଓରେ ଏହି ସଂଖ୍ୟା ୧୯ ରେ ପହଞ୍ଚିଛି । 

୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ତେଣୁ ଚଳିତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟମାନେ ସବୁ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ୧୯୬୮ରୁ ୨୦୧୬ ମଧ୍ୟରେ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ୧୯ ପଦକ ଜିତି ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।

ଚଳିତ ପାରା ଅଲମ୍ପିକକୁ ଭାରତ ୫୪ ଜଣିଆ ଟିମ୍ ପଠାଇଥିଲା। ତେବେ ପାରା ଆଥଲେଟ୍ ମାନେ ସେମାନଙ୍କର ଉଚ୍ଚ କୋଟୀର ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ପାରାଲିମ୍ପିକ୍ସ୍‌ର ଟେବୁଲ୍‌ ଟେନିସ୍‌ରେ ଭାରତ ପାଇଁ ଭାବିନାବେନ୍‌ ପଟେଲ୍‌ ପ୍ରଥମେ ପଦକ ଜିଣିଥିଲେ। ସେହିଭଳି, ‘ୱିମିନ୍‌ସ୍‌ ୧୦ ମିଟର୍‌ ଏୟାର୍‌ ରଇଫଲ୍‌ ଷ୍ଟାଣ୍ଡିଙ୍ଗ୍‌ ଏସ୍‌ଏଚ୍‌୧’ରେ ଅବନି ଲେଖଡ଼ା ଗୋଲ୍ଡ୍ ମେଡାଲ , ‘ମେନ୍‌ସ୍‌ ସିଙ୍ଗଲ୍‌ସ୍‌ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ୍‌’ରେ ଓଡ଼ିଆ ପୁଅ ପ୍ରମୋଦ ଭାଗବତ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି , ‘ମେନ୍‌ସ୍‌ ସିଙ୍ଗଲ୍‌ସ୍‌ ଏସ୍‌ଏଚ୍‌୬ ବ୍ୟାଡ୍‌ମିଣ୍ଟନ୍‌’ରେ କୃଷ୍ଣ ନାଗର ସ୍ବର୍ଣ୍ଣ, ‘ମେନ୍‌ସ୍‌ ଜାଭ୍‌ଲିନ୍‌ ଥ୍ରୋ’ ଏଫ୍୬୪’ରେ ସୁମିତ ଆଣ୍ଟିଲ୍‌ ସ୍ବର୍ଣ୍ଣ ଏବଂ ‘ମିକ୍ସଡ୍‌ ୫୦ ମିଟର୍‌ ପିସ୍ତଲ୍‌ ଏସ୍‌ଏଚ୍‌୧’ରେ ମନୀଷ ନରୱାଲ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି , ‘ୱିମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍ ୪ ଟେବୁଲ୍ ଟେନିସ୍‌’ରେ ଭାବିନାବନେ୍ ପଟେଲ୍ ରୌପ୍ୟ, ‘ମିକ୍ସ୍‌ଡ୍‌ ୫୦ମିଟର୍‌ ପିସ୍ତଲ୍‌ ଏସ୍‌ଏଚ୍‌୧’ରେ ସିଂହରାଜ ରୌପ୍ୟ, ‘ମେନ୍ସ୍‌ ଡିସ୍‌କସ୍‌ ଏଫ୍‌୫୬’ରେ ଯୋଗେଶ କଥୁରିୟା ରୌପ୍ୟ, ‘ମେନ୍ସ ହାଇଜମ୍ପ୍‌ ଟି୪୭’ରେ ନିଷାଦ କୁମାର ରୌପ୍ୟ, ‘ମେନ୍‌ସ୍ ହାଇଜମ୍ପ୍‌ ଟି୬୩’ରେ ମାରିଆପ୍ପାନ୍ ତାଙ୍ଗାବେଲୁ ରୌପ୍ୟ, ‘ମେନ୍‌ସ୍‌ ହାଇଜମ୍ପ୍‌ ଟି୬୪’ରେ ପ୍ରବୀଣ କୁମାର ରୌପ୍ୟ, ‘ମେନ୍ସ୍‌ ଜାଭ୍‌ଲିନ୍‌ ଏଫ୍୪୬’ରେ ଦେବରାଜ ଝଝାରିଆ ରୌପ୍ୟ ଏବଂ ‘ମେନ୍ସ୍‌ ସିଙ୍ଗଲ୍‌ସ୍‌ ବ୍ୟାଡ୍‌ମିଣ୍ଟନ୍‌ ଏସ୍‌ଏଲ୍‌୪’ରେ ସୁହାସ ଯତିରାଜ ରୌପ୍ୟ ପଦକ ପାଇଛନ୍ତି।

ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପରେ ‘ୱିମିନ୍ସ୍‌ ୫୦ ମିଟର୍‌ ୩ ପୋଜିସନ୍‌ସ୍‌ ଏସ୍‌ଏଚ୍‌୧’ରେ ଅବନି ଲେଖଡ଼ା କାଂସ୍ୟ, ‘ମେନ୍‌ସ୍‌ ଇଣ୍ଡିଭିଜୁଆଲ୍‌ ରିକର୍ଭ ଆର୍ଚେରି’ରେ ହରବିନ୍ଦର ସିଂହ କାଂସ୍ୟ, ‘ମେନ୍ସ ହାଇଜମ୍ପ୍‌ ଟି୬୩’ରେ ଶରଦ କୁମାର କାଂସ୍ୟ, ‘ମେନ୍‌ସ୍‌ ଜାଭ୍‌ଲିନ୍‌ ଥ୍ରୋ ଏଫ୍‌୪୬’ରେ ସୁନ୍ଦର ସିଂହ ଗୁଜର କାଂସ୍ୟ, ‘ମେନ୍‌ସ୍‌ ସିଙ୍ଗଲ୍‌ସ୍‌ ବ୍ୟାଡ୍‌ମିଣ୍ଟନ୍‌ ଏସ୍ଏଲ୍‌୩‌’ରେ ମନୋଜ ସର୍କାର କାଂସ୍ୟ ଏବଂ ‘ମେନ୍‌ସ୍‌ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ ଏସ୍‌ଏଚ୍‌୧’ରେ ସିଂହରାଜ କାଂସ୍ୟ ପଦକ ବିଜୟୀ ‌ହୋଇଛନ୍ତି।

ଆଜି ଉଦଯାପନୀ ସମାରୋହରେ ଅବନୀ ଭାରତର ଧ୍ୱଜାବାହକ ହେବ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ପାରା ଅଲିମ୍ପିକ୍ସ ଗେମ୍ସରେ ଭାରତକୁ ଅଧିକ ସଫଳତା ମିଳିଛି ଆଥଲେଟିକ୍ସରେ। ଭାରତ ଆଥଲେଟିକ୍ସରେ ମୋଟ ୮ ପଦକ ଜିତିଥିବା ବେଳେ ଶୁଟିଂରେ ୫, ବ୍ୟାଡମିଣ୍ଟନରେ ୪, ଆର୍ଚେରୀ ଓ ଟେବୁଲ୍ ଟେନିସରେ ଗୋଟିଏ ଲେଖାଏ ପଦକ ଜିତିଛି।

Related Posts