
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନା ସଂକ୍ରମଣର ପ୍ରଥମ ମାମଲା କେରଳର ଜଣେ ଡାକ୍ତରୀ ଛାତ୍ରୀଙ୍କ ଠାରେ ଦେଖା ଦେଇଥିଲା । ଗତ ବର୍ଷ ଜାନୁଆରୀରେ ଚାଇନାର ୱୁହାନରୁ କେରଳକୁ ଫେରିଥିବା ଏହି ଛାତ୍ର ଜଣକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ଛାତ୍ରୀ ପୁଣିଥରେ ବିନା କୌଣସି ଲକ୍ଷଣରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ କୋଭିଡ୍ ଟୀକା ମଧ୍ୟ ନେଇ ସାରିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଥ୍ରୀସୁରର ଜିଲ୍ଲା ମେଡିକାଲ ଅଫିସର କେ.ଜେ ରେନା କହିଛନ୍ତି ଯେ ଛାତ୍ର ଜଣକ ହୋମ୍ କ୍ବାରେଣ୍ଟାଇନ୍ ରେ ଥିଲେ, ଏହି ସମୟ ମଧ୍ୟରେ ସେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାରରୁ କେହି ବି ସଂକ୍ରମିତ ହୋଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଣି ଥରେ କୋଭିଡ୍ ସଂକ୍ରମିତ ହେବା କିଛି ନୂଆ କଥା ନୁହେଁ। ଅନେକ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ର ପୁନର୍ବାର କୋଭିଡ୍ ସଂକ୍ରମିତ ହୋଇଛନ୍ତି ।
ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଯେତେବେଳେ ଛାତ୍ରୀ ଜଣକ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ, ତେଣୁ ସେ ତାଙ୍କର କୋଭିଡ୍ ଟେଷ୍ଟ କରିଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା। ଛାତ୍ରୀଙ୍କଠାର କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ଏହା ସହିତ ସେ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେଇ ସାରିଛନ୍ତି। ଗତ ବର୍ଷ ଜାନୁଆରୀରେ ଯେତେବେଳେ ଛାତ୍ରୀ ଜଣକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ତାଙ୍କୁ ଡାକ୍ତରଖାନାରେ ୧ ମାସ ରଖାଯାଇଥିଲା।
ଗତ ବର୍ଷ ସେ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବେବି ଭାବି ନଥିଲେ ଯେ ସେ କରୋନାରେ ସଂକ୍ରମିତ ହେବେ। କିନ୍ତୁ ସଂକ୍ରମିତ ହେବା ପରେ ସେ ତାଙ୍କ ପରିବାର ବିଷୟରେ ଅଧିକ ଚିନ୍ତିତ ହେଉଥିଲେ। କାରଣ ସେ ୱୁହାନରୁ ଫେରିବା ପରେ ପରିବାରର ଲୋକଙ୍କୁ ଭେଟିଥିଲେ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଗତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ପୁଣିଥରେ କରୋନା ସଂକ୍ରମଣ ହେବାର ଏକ ଡାଟା ସ୍ଥିର କରିଥିଲା ଏବଂ ସେହି ସମୟ ମଧ୍ୟରେ ଏହି ସଂଖ୍ୟା ୪.୫% ଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ଆଇଜିବି) ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରେ ଜଣାପଡିଛି ଯେ ଏପ୍ରିଲ୍ ମାସ ସୁଦ୍ଧା ଦିଲ୍ଲୀରେ ଏହି ସଂକ୍ରମଣର ସଂଖ୍ୟା ୧୦% ଥିଲା। ଏହି ଅନୁସନ୍ଧାନରେ ଆହୁରି ମଧ୍ୟ ଜଣାପଡିଛି ଯେ ଏହି ଲୋକଙ୍କଠାରେ ଆଣ୍ଟିବଡି ବୃଦ୍ଧି ପାଇବା ପରିବର୍ତ୍ତେ କମିଯାଉଛି। ଏଥିପାଇଁ ଅନୁସନ୍ଧାନକାରୀମାନେ ୧୦ ଟି ବିଭିନ୍ନ ସ୍ଥାନରୁ ୧୦୦୦ ଲୋକଙ୍କ ନମୁନା ନେଇ ପରୀକ୍ଷା କରିଥିଲେ।
ଏପଟେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଲୋକେ ଘରେ ରହିବାକୁ ଜେଲ୍ରେ ବନ୍ଦୀ ହେବା ଭଳି ମନେ କରୁଛନ୍ତି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ବୁଲାବୁଲି କରିବା ଲକ୍ଷ୍ୟରେ ଅଛନ୍ତି। ତେବେ ଏହା ଆଗକୁ ଅତ୍ୟନ୍ତ ସାଂଘାତିକ ରୂପ ନେଇ ପାରେ ବୋଲି ଲଭ୍ ଅଗ୍ରୱାଲ ଚେତାବନୀ ଦେଇଛନ୍ତି।