ହାଉସ ପ୍ୟାନେଲରୁ ୮ ବିଜେପି ବିଧାୟକ ଇସ୍ତଫା ଦେବା ପରେ,ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ଶୁଭେନ୍ଦୁ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁକୁଲ ରୟ ବିଜେପି ଛାଡ଼ି ଟିଏମସିରେ ଯୋଗଦେବା ପରେ ଏବେ ବେଙ୍ଗଲ ରାଜନୀତି ଏକ ଭିନ୍ନ ମୋଡ ନେଇଛି। ସେ ଟିଏମସିରେ ସାମିଲ ହେବା ପରେ ତାଙ୍କୁ ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ର ଚେୟାରମ୍ୟାନ୍ କରାଯାଇଥିଲା। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଦିନ ବିଜେପିର ଆଠ ଜଣ ବିଧାୟକ ବିଭିନ୍ନ ବିଧାନସଭାର ବିଭିନ୍ନ ପ୍ୟାନେଲରୁ ଇସ୍ତଫା ଦେଇଥିଲେ। ବିଜେପି ବିଧାୟକ ପ୍ୟାନେଲରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ମୁକୁଲ ରୟଙ୍କ ନିଯୁକ୍ତିକୁ ବିରୋଧ କରି ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ରାଜ ଭବନକୁ ଯାଇ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଥିଲେ। ଏବଂ ଏହି ଘଟଣାରେ ତାଙ୍କର ହସ୍ତକ୍ଷେପ ଲୋଡିଥିଲେ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ କହିଛନ୍ତି ଯେ ଶାସକ ଦଳ ମୁଖ୍ୟ ବିରୋଧୀ ଦଳର ଜଣେ ବିଧାୟକଙ୍କୁ PAC ର ଅଧ୍ୟକ୍ଷ ନିଯୁକ୍ତ କରିବାର ଏକ ସୁସ୍ଥ ପରମ୍ପରାକୁ ଅନୁସରଣ କରୁନାହାଁନ୍ତି। PAC ସରକାରଙ୍କ ଆକାଉଣ୍ଟକୁ ଅଡିଟ୍ କରିଥାଏ। ସେ ଦର୍ଶାଇଛନ୍ତି ଯେ ପ୍ୟାନେଲରେ ନାମାଙ୍କନ ପାଇଁ ଦାଖଲ କରିଥିବା ୬ ଜଣ ବିଧାୟକଙ୍କ ତାଲିକାରେ ମୁକୁଲ ରୟଙ୍କ ନାଁ ନଥିଲା। କିନ୍ତୁ ତାଙ୍କୁ PAC ର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି।

ଧନଖଡଙ୍କୁ ଭେଟିବା ପରେ ଶୁଭେନ୍ଦୁ ଆଦିକାରୀ କହିଛନ୍ତି ଯେ ବିଜେପି ଟିକେଟ୍ ରେ ବିଧାନସଭା ନିର୍ବାଚନ ଲଢି ​​ଜିତିବା ପରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ତେଣୁ ମୁକୁଲ ରୟଙ୍କୁ ବିରୋଧୀ ଦଳର ସଦସ୍ୟ ଭାବରେ ବିବେଚନା କରାଯିବା ଉଚିତ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଶାସକ ଦଳ ଚାହୁଁନାହିଁ ଯେ ବିରୋଧୀମାନେ ସରକାରଙ୍କ ଆକାଉଣ୍ଟରେ ଥିବା ଅସଙ୍ଗତି ବିଷୟରେ ଜାଣନ୍ତୁ। ସେଥିପାଇଁ ସେମାନେ ଶାସକ ଦଳରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ”ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଜୁନ ୧୧ରେ ବିଜେପି ଛାଡ଼ି ମୁକୁଲ ରୟ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଥିଲେ। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଥିଲେ । ଏକଦା ମମତାଙ୍କ ବେଶ ନିକଟତର ଏବଂ ଟିଏମସିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ମୁକୁଲ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ଉପସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମଙ୍ଗ ଧରିଥିଲେ ମୁକୁଲ। ଲୋକସଭା ନିର୍ବାଚନରେ ବିଜେପିର ସଫଳତା ପାଇଁ ତାଙ୍କୁ ମିଳିଥିଲା ଶ୍ରେୟ। ତେବେ ବିଧାନସଭା ନିର୍ବାଚନରେ ବିଜେପି ଫେଲ ମାରିବା ପରେ ଦୁଇ ବାପ-ପୁଅ ପୁଣି ଥରେ ଦିଦିଙ୍କ ଶିବିରକୁ ଫେରି ଆସିଛନ୍ତି।

Related Posts