ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ତିନି ସେନା ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ଏହା ମଧ୍ୟରେ ମହାକଶରେ ଉପଲବ୍ଧ ଉତ୍ସଗୁଡ଼ିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ମହାକଶରେ ଉପସ୍ଥିତ ଆମର ସମ୍ବଳ ବାୟୁ ସାମରିକ ଦକ୍ଷତାକୁ ଆହୁରି ମଜବୁତ କରିପାରିବ । ସ୍ପେସ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜିଓ ଇଣ୍ଟେଲିଜେନ୍ସ ୨୦୨୨ ନାମକ ଏକ ସମ୍ମିଳନୀରେ ଏୟାର ଚିଫ ମାର୍ଶଲ କହିଛନ୍ତି ଯେ ମହାକଶରେ ବାୟୁସେନାର ବିସ୍ତାର ହେବା ଅପରିହାର୍ଯ୍ୟ ହୋଇ ପଡ଼ିଛି । ସେପଟେ ଭବିଷ୍ୟତରେ ଯୁଦ୍ଧର ଫଳାଫଳ ଏବଂ ବିଜୟ ମହାକଶରେ ଆମର ସୁଦୃଢ଼ ସ୍ଥିତି ଉପରେ ନିର୍ଭର କରିବ । ତେଣୁ ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ । ସେ କହିଛନ୍ତି ଯେ ସଶସ୍ତ୍ର ବାହିନୀର ପ୍ରମୁଖ କ୍ଷେତ୍ର ହେଉଛି ଏସଏସଏ ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ରାଡାରର ବିକାଶ, ସ୍ପେସ ଆଧାରିତ ସେନ୍ସର ଏବଂ ଅପ୍ଟିକଲ ଟେଲିସ୍କୋପ ଯାହା ଶତ୍ରୁ ବସ୍ତୁ ଉପରେ ନଜର ରଖିବ ।
ତେଣୁ ଇସ୍ରୋ ଏବଂ ଡ୍ରଆରଡିଓର ବିଦ୍ୟମାନ ସାମର୍ଥ୍ୟକୁ ଏକୀଭୂତ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ ସଶସ୍ତ୍ର ବାହିନୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଫେନ୍ସ ସ୍ପେସ ଏଜେନ୍ସି ସିଭିଲ-ମିଲିଟାରୀ ସ୍ପେସ ସହଯୋଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ମହାକଶରେ ସ୍ଥିତି ସୁଦୃଢ଼ ହେଲେ ଶତ୍ରୁର ଉଦ୍ଦେଶ୍ୟ ବୁଝିବା ବେଶ ସହଜ ହୋଇପାରିବ । ବାୟୁସେନାର ରଣନୀତି ହେଉଛି ବାୟୁ ଏବଂ ମହାକାଶ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଏକୀଭୂତ କରିବା । ଏହା ଦ୍ୱାରା ଦେଶର ସାମରିକ ଶକ୍ତିରେ ବୃଦ୍ଧି ସମ୍ଭବ ହୋଇପାରିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
