କୃଷି ବିଭାଗର ଉଦାସୀନତା : ଅଚଳ ସରକାରୀ ଫାର୍ମକୁ ଅକ୍ତିଆର କରୁଛନ୍ତି ଜବରଦଖଲକାରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୃଷି ବିଭାଗର ଉଦାସୀନତା ଯୋଗୁଁ ଏବେ ଜବରଦଖଲକାରୀଙ୍କ କବଜାରେ ଅଚଳ ସରକାରୀ ଫାର୍ମ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୯ଟି ସରକାରୀ କୃଷି ଫାର୍ମକୁ ଏଭଳି କବଜା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ରାଜ୍ୟ କୃଷି ବିଭାଗ ଅଧିନରେ ଏବେ ୧୪୮ଟି ଫାର୍ମ ରହିଛି । ସେଥି ମଧ୍ୟରୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଅଧିନରେ ୬୩ଟି ଫାର୍ମ ରହିଥିବାବେଳେ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଅଧିନରେ ୮୫ଟି ରହିଛି । ତେବେ ୧୪୮ ସରକାରୀ ଫାର୍ମ ମଧ୍ୟରୁ ୧୩୯ଟି କାର୍ଯ୍ୟକ୍ଷମ ରହିଥିବାବେଳେ ଅନ୍ୟ ୯ଟି ଏହାର ସତ୍ତା ହରାଇବସିଲାଣି ।

ତେବେ ଏହି ସରକାରୀ ଅଚଳ ଫାର୍ମ ଗୁଡ଼ିକ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଫଳବଗିଚା ବର୍ତ୍ତମାନ ସାଧାରଣ ଲୋକଙ୍କ କବଜାରେ ରହିଛି । ୧୯୯୯ ମସିହା ମହାବାତ୍ୟା ସମୟରେ ଯେତେବେଳ ଏହି ବଗିଚା କ୍ଷତିଗ୍ରସ୍ତ ହୋଇଥିଲା ସେବେଠାରୁ ଏହି ଫାର୍ମକୁ ସେମିତି ଛାଡ଼ି ଦିଆଯାଇଛି। ଏହାର ପୁନରୁଦ୍ଧାର ନହେବା ଯୋଗୁଁ ଲୋକେ ଏହି ସରକାରୀ ସମ୍ପତ୍ତିକୁ କବଜା କରୁଛନ୍ତି । ସେହିଭଳି ବରଗଡ ଜିଲ୍ଲାର ପାଇକମାଳ ଠାରେ ଥିବା ଡୁମେରବାହାଲ ଫାର୍ମଟି ପତ୍ରା ଜଙ୍ଗଲ କିସମ ହୋଇଥିବାବେଳେ ଏହା ଉଦ୍ୟାନ ମଧ୍ୟ କୃଷି ବିଭାଗ ହାତରୁ ଖସି ଏବେ ଜଙ୍ଗଲ ବିଭାଗ ଅଧୀନକୁ ଚାଲିଯାଇଛି । ସେହିପରି ଭାବେ ବିଜେପୁର ଠାରେ ଥିବା ବଡବାଉଁଶାଣୀ ଫାର୍ମର ବି ସମାନ ଅବସ୍ଥା ।

କଳାହାଣ୍ଡି ଜିଲ୍ଲାର ରାମପୁର ଠାରେ ଥିବା ସରକାରୀ ଫାର୍ମର ରକ୍ଷଣା ବେକ୍ଷଣ ଅଭାବରୁ ଉତେଇ ନଦୀ ଗର୍ଭରେ ଲୀନ ହୋଇଥିବାବେଳେ ଲାଞ୍ଜିଗଡ ଠାରେ ଥିବା ଜଗନାଥପୁର ଫାର୍ମ କ୍ରମାଗତ ମୃତ୍ତିକାକ୍ଷୟ ଯୋଗୁଁ ଫଳଗଛ ସବୁ ନଷ୍ଟ ହୋଇଛି ।

ସେହିପରି ଭାବେ ଜଗତ୍‍ସିଂହପୁର ଜିଲ୍ଲାର ପୁନଙ୍ଗ ଠାରେ ଥିବା ସରକାରୀ ଫାର୍ମ ୧୯୯୫-୯୬ ମସିହାରୁ ଅଚଳ ହୋଇ ପଡିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଥିବା କେଶପୁର ଫାର୍ମଟି ଚିଲିକାର ଲୁଣାପାଣି ମାଡରେ ୧୯୯୩-୯୪ ମସିହାରୁ ଉଜୁଡି ଯାଇଛି । କୋରାପୁଟ ଜିଲ୍ଲାରେ ଥିବା ବୈପାରୀଗୁଡା ଫାର୍ମଟି ଜଳାଭାବରୁ ୨୦୦୧ ମସିହାରୁ ଅଚଳ ହୋଇ ପଡିଛି। ଏବଂ ଏହି ଫାର୍ମରେ ଥିବା ଜମି ମଧ୍ୟରୁ ୯୦ ପ୍ରତିଶତ ଢିପ ଥିବାରୁ ସେଠାକୁ ଜଳ ମାଡି ପାରୁନାହିଁ ।

ସରକାରୀ କୃଷି ଫାର୍ମ ମଧ୍ୟରୁ କୃଷି ନିର୍ଦ୍ଦେଶାଳୟ ଅଧିନରେ ଥିବା ଫାର୍ମ ଗୁଡିକ ଗତ ଛଅ ବର୍ଷ ମଧ୍ୟରେ ବ୍ୟୟ ତୁଳନାରେ ଅଧିକ ରାଜସ୍ୱ ପାଇଥିବାବେଳେ ଉଦ୍ୟାନ ନିର୍ଦ୍ଦେଶାଳୟ ଅଧିନରେ ଥିବା ଫାର୍ମଗୁଡିକର ଆୟ ବ୍ୟୟ ତୁଳନାରେ କମ୍‍ ରହିଛି ।ତେବେ ବରଗଡ ଜିଲ୍ଲାରେ ଓଡିଶା ବିହନ ନିଗମ ଅଧିନରେ ଥିବା ଦୁଇଟି ଫାର୍ମକୁ ସରକାର ସର୍ତ୍ତ ଆଧାରରେ ଘରୋଇ ସଂସ୍ଥା ଓ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଛି ।

Related Posts