ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବର୍ଷେ ପର୍ଯ୍ୟନ୍ତ ମାଗଣା ବିମାନ ଯାତ୍ରା ଘୋଷଣା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହା ସଙ୍ଗେ ସଙ୍ଗେ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ତାଙ୍କୁ ଉପହାର ଦେଉଛନ୍ତି। ବର୍ତ୍ତମାନ ଭାରତର ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ସ୍ବର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ବଡ଼ ଉପହାର ଦେଇଛି।  ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ଏକ ବର୍ଷ ପାଇଁ ମାଗଣା ଯାତ୍ରା କରିବାର ଉପହାର ଦେଇଛି । ଇଣ୍ଡିଗୋ ଏୟାରଲାଇନ୍ସ ସିଇଓ ରୋନୋଜୋଇ ଦତ୍ତ ଏ ନେଇ ସୂଚନା ଦେଇଛନ୍ତି।

ଇଣ୍ଡିଗୋ ତରଫରୁ ଏକ ବିବୃତ୍ତି ଜାରି କରି ଦତ୍ତ କହିଛନ୍ତି ଯ,”  ଆପଣଙ୍କ ସଫଳତା ବିଷୟରେ ଜାଣି ଆମେ ଖୁସି ଅଛୁ। ଆପଣ ଦେଶକୁ ଗର୍ବିତ କରିଛନ୍ତି । ମୁଁ ଜାଣେ ଯେ ଆମର ସମସ୍ତ ଇଣ୍ଡିଗୋ କର୍ମଚାରୀମାନେ ଆପଣ ଯେକୌଣସି ସମୟରେ ବିମାନଯାତ୍ରା କରିବେ ସେତେବେଳେ ଆପଣଙ୍କୁ ସ୍ୱାଗତ କରି ଗର୍ବିତ ହେବେ । ତୁମର ଏହି ସଫଳତାକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କୁ ଏକ ବର୍ଷ ପାଇଁ ଇଣ୍ଡିଗୋ ବିମାନରେ ମାଗଣା ଯାତ୍ରା କରିବାର ସୁବିଧା ଦେବାକୁ ଚାହୁଁଛୁ।

ଇଣ୍ଡିଗୋ ସିଇଓ କହିଛନ୍ତି, “ଆପଣ(ନୀରଜ ଚୋପ୍ରା) ଆମକୁ ଦେଖାଇଛନ୍ତି ଯେତେବଡ ଆହ୍ବାନ ଆସିଲେ ମଧ୍ୟ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରାଯାଇପାରିବ। ମୁଁ ନିଶ୍ଚିତ ଯେ ଆପଣ ଭବିଷ୍ୟତ ପିଢିର ଭାରତୀୟ ଆଥଲେଟ୍ ମାନଙ୍କ ପାଇଁ ଏକ ପ୍ରେରଣା ହେବେ । ” ଇଣ୍ଡିଗୋ ଏୟାରଲାଇନ୍ସ ଘୋଷଣା କରିଛି ଯେ ନୀରଜ ଚୋପ୍ରା ଆସନ୍ତା ବର୍ଷ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାଗଣାରେ ବିମାନ ଯାତ୍ରା କରି ପାରିବେ ।

ଗତକାଲି ଟୋକିଓ ଅଲିମ୍ପିକ୍ସରେ ନୀରଜ ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଥ୍ରୋ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ। ଏହାପରେ ଅନ୍ୟ କ୍ରୀଡ଼ାବିତ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ବି ସଫଳ ହୋଇ ନଥିଲେ। ଶେଷରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ଏହାପରେ ତାଙ୍କୁ ନେଇ ଏବେ ସାରା ଭାରତରେ ଉତ୍ସାହର ମାହୋଲ ଦେଖାଦେଇଛି। 

Related Posts