(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ କାରଣରୁ ଟ୍ରାଭେଲ ବୁକିଂ ବାତିଲ ପାଇଁ ଫେରସ୍ତ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ସର୍ଭେ କରାଯାଇଥିଲା। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ସେମାନେ ଚାହୁଁଛନ୍ତି ଯେ ସରକାର ମହାମାରୀ ସମୟରେ ବୁକିଂ ଟଙ୍କା ଫେରସ୍ତ ପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରନ୍ତୁ। ଏହି ସର୍ଭେ ଅନଲାଇନ୍ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିଲା । ଏଥିରୁ ଜଣାପଡିଛି ଯେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ କାରଣରୁ ଯେଉଁମାନେ ଟ୍ରାଭେଲ ପାଇଁ ବୁକିଂ ବାତିଲ କରିଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୧୨ ରୁ ୧୩ ପ୍ରତିଶତ ଲୋକ ଠିକ୍ ସମୟରେ ସେମାନଙ୍କର ଟଙ୍କା ଫେରସ୍ତ ପାଇଛନ୍ତି ।

ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୩୫୯ ଟି ଜିଲ୍ଲାର ୩୭ ହଜାରରୁ ଅଧିକ ଲୋକଙ୍କ ମତାମତ ଅନୁଯାୟୀ କିଛି ଟ୍ରାଭେଲ୍ ଏଜେଣ୍ଟ (ଅନଲାଇନ୍ ଏବଂ ଅଫଲାଇନ୍), ବିମାନ ସେବା ତଥା ହୋଟେଲ ବୁକିଂ ଟଙ୍କା ଫେରସ୍ତ ପାଇଥିବା ବେଳେ ଆଉ କିଛି ହରାଇଛନ୍ତି। ଲୋକାଲ୍ ସର୍କଲ୍ କହିଛି ଯେ , ପାଖାପାଖି 95 ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ବିମାନ ସେବା, ରେଳବାଇ କିମ୍ବା ହୋଟେଲଗୁଡିକର ବର୍ତ୍ତମାନର ନୀତି ଗ୍ରାହକଙ୍କ ସ୍ୱାର୍ଥରେ ନାହିଁ ଏବଂ ସେମାନେ ଚାହୁଁଛନ୍ତି ଯେ ସରକାର COVID ମହାମାରୀର ଏହି ସମୟ ପାଇଁ ଟ୍ରାଭେଲ ବୁକିଂ ଉପରେ ରିଫଣ୍ଡ୍ ପ୍ରଦାନ କରନ୍ତୁ। ଏବଂ ଏଥିପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରନ୍ତୁ। “ଅଧିକାଂଶ ଲୋକ ଏହି ନୀତିରେ ପରିବର୍ତ୍ତନ ଚାହୁଁଛନ୍ତି ।

ଏହି ସର୍ଭେରେ 12 ପ୍ରତିଶତ ଲୋକ କହିଛନ୍ତି ଯେ ବୁକିଂ ବାତିଲ ପାଇଁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯାଇଛି। ଏଥିସହିତ 32 ପ୍ରତିଶତ ଲୋକ କହିଛନ୍ତି ଯେ ଟଙ୍କାଟିଏ ବି ଫେରସ୍ତ ପାଇ ନାହାଁନ୍ତି। ଏଥିସହ 12 ପ୍ରତିଶତ ଲୋକ କହିଛନ୍ତି ଯେ ବାତିଲ ପରେ କିଛି ଟଙ୍କା ଫେରସ୍ତ କରାଯାଇଛି। ଚାରି ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନଙ୍କୁ ଅଳ୍ପ ପରିମାଣର ଟଙ୍କା ଫେରସ୍ତ କରାଯାଇଛି। ଏଥିରେ 24 ପ୍ରତିଶତ ଲୋକ ମଧ୍ୟ ଏମିତି ଥିଲେ ଯେଉଁମାନେ କହିଥିଲେ ଯେ ସେମାନଙ୍କ ବୁକିଂର ଗୋଟିଏ ପଇସା ମଧ୍ୟ ଫେରସ୍ତ କରାଯାଇ ନାହିଁ, କିନ୍ତୁ ଟ୍ରାଭେଲ ଏଜେଣ୍ଟ / ଏୟାରଲାଇନ୍ସ କମ୍ପାନୀ ପରବର୍ତ୍ତୀ ସମୟରେ ପୁନଃ ବୁକିଂ କରିବାର ସୁବିଧା ଦେଇଛି। 16 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କର କୌଣସି ବିକଳ୍ପ ନାହିଁ।