ସ୍କୁଲ ଖୋଲିବା ପରେ ଅନ୍ୟ ରାଜ୍ୟରେ ବଢୁଛି ସଂକ୍ରମଣ : ଓଡିଶାର ଶିକ୍ଷକ ଛାତ୍ର ଛାତ୍ରୀ ଛାନିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ର ଦ୍ଵିତୀୟ ଲହର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବାରୁ ଅନେକ ରାଜ୍ୟରେ କଟକଣା କୋହଳ ହେଉଛି। ଏବଂ କୋଭିଡ୍ ଗାଇଡଲାଇନ ମଧ୍ୟରେ ସ୍କୁଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ସ୍କୁଲ୍ ଖୋଲିବା ଯୋଗୁଁ ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ କୋଭିଡ୍-19ର ଶୀକାର ହେଉଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଓଡିଶାରେ ମଧ୍ୟ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଜାତୀୟ ରାଜଧାନୀ ଦିଲ୍ଲୀ ସମେତ କର୍ଣ୍ଣାଟକର କେତେକ ସ୍କୁଲରେ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । କରୋନା ମହାମାରୀ ପ୍ରଭାବ ବିସ୍ତାର କରିବା ପରେ ଓଡିଶା ଭଳି ଏହି ରାଜ୍ୟ ଗୁଡିକରେ ମଧ୍ୟ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦଥିଲା । ଯେହେତୁ ଏବେ ଦ୍ୱିତୀୟ ଲହର ପ୍ରଭାବ ନିୟନ୍ତ୍ରଣକୁ ଆସୁଛି ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକର ଖୋଲୁଛନ୍ତି । ଗାଇଡଲାଇନ ଅନୁଯାୟୀ ପିଲାମାନଙ୍କୁ ବିଦ୍ୟାଳୟରେ ମାସ୍କ ପିନ୍ଧିବା , ସାନିଟାଇଜର ବ୍ୟବହାର, ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । କଭୋଡ୍ ସଂକ୍ରମଣକୁ ନଜରରେ ରଖି ପିଲାମାନଙ୍କର ଖେଳ ପିରିୟଡ ବାତିଲ କରାଯିବା ସହ ବିଦ୍ୟାଳୟର କ୍ୟାଣ୍ଟିନ ମଧ୍ୟ ବନ୍ଦ ରହିଛି ।

ଓଡିଶାରେ ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ପ୍ରଥମେ ଦ୍ୱାଦଶ ଓ ଦଶମ ଶ୍ରେଣୀରେ ପୂରା କଟକଣା ଭିତରେ ପାଠପଢା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ପରେ ପରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ଖୋଲୁଛି । ଏବେ ନବମ ଓ ଏକାଦଶ ସମେତ ଅନ୍ୟାନ୍ୟ ଶ୍ରେଣୀରେ ମଧ୍ୟ ପାଠପଢା ଆରମ୍ଭ ପାଇଁ ପ୍ରକ୍ରିୟା ଜାରି ରହିଛି।

୨୦୨୧ ମାର୍ଚ୍ଚମାସରେ ଦ୍ଵିତୀୟ ଲହର ଯୋଗୁଁ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‍ ଓ ସଟ୍‍ଡାଉନ ଘୋଷଣା ହେବା ପରଠାରୁ ଓଡିଶା ଭଳି ଅନ୍ୟ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ଥିଲା । ଅନଲାଇନ କ୍ଲାସ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍‍ ଓ ଇଣ୍ଟରନେଟ୍‍ ସେବା ନଥିବା ଏବଂ ଆର୍ଥିକ ଦୁରବସ୍ଥା ଯୋଗୁଁ ସ୍ମାର୍ଟଫୋନ୍‍ ର ଅଭାବ ଓ ଡିଜିଟାଲ ଡିଭାଇସ ନଥିବାରୁ ବିଦ୍ୟାଳୟ ସ୍ତରରେ ଦୁଇ ତୃତୀୟାଂଶରୁ ଅଧିକ ପିଲା ଭର୍ଚୁଆଲ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।

ଅନ୍ୟ ପକ୍ଷରେ କରୋନାର ଯୋଗୁଁ ଦୁଇବର୍ଷ ହେବ ମାଟ୍ରିକ, ସିବିଏସ୍‍ଇ, ଉଚ୍ଚଶିକ୍ଷା ପରିଷଦ, ଓ ବିଶ୍ୱବିଦ୍ୟାଳୟ ଆଦିରେ ଶେଷ ବର୍ଷର ପରୀକ୍ଷା ହୋଇପାରୁ ନାହିଁ । ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପିଲାଙ୍କୁ ପାସ୍ କରାଯାଉଛି । ଏ ପରିପ୍ରେକ୍ଷୀରେ କରୋନା ଥମିବା ଯୋଗୁଁ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପୁଣି ଶ୍ରେଣୀଗୃହରେ ପର୍ଯ୍ୟାୟକ୍ରମେ ପାଠପଢା ଆରମ୍ଭ ହୋଇଛି । ତେବେ ବର୍ଷାଧିକ କାଳଧରି ସ୍କୁଲରୁ ଦୂରରେ ଥିବା ପିଲାମାନେ ଆଗ୍ରହ ପ୍ରକାଶ କରି ଶିକ୍ଷାନୁଷ୍ଠାନ ଆସୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକରେ କେବଳ ଗୋଟିଏ ସ୍କୁଲରେ ପ୍ରାୟ ତିନିଶହ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି । ଦିଲ୍ଲୀ ସମେତ ଆଉ କେତେକ ରାଜ୍ୟରେ ବି ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଉଥିବା ଜଣାପଡିଛି । ତେଣୁ ଏହାକୁ ନେଇ ଶିକ୍ଷକ, ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

Related Posts