ପର୍ଯ୍ୟଟକଙ୍କ ପାଇଁ ୧୧ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଜାନୁୟାରୀ ୪ରୁ ୧୪ ପର୍ଯ୍ୟନ୍ତ ଚାଲିବ କୁମ୍ଭୀର ଗଣନା

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): କୁମ୍ଭୀର ଗଣନା ପାଇଁ ୧୧ ଦିନ ବନ୍ଦ୍ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

ବିରଳ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିତର କନିକାକୁ ଛୁଟି ଆସିଥାନ୍ତି। ତେବେ ଆସନ୍ତ ୪ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେଉଥିବାରୁ ୧୧ ଦିନ ପାଇଁ ଏହି ଉଦ୍ୟାନକୁ ବନ୍ଦ ରଖାଯିବ ।

କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଜାନୁଆରୀ ୨୦୨୨ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକା ରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ୁଛି ନା କମୁଛି ତାହା ଗଣନା ପରେ ହିଁ ସ୍ପଷ୍ଟ ହେବ ।

Related Posts