INS ବିକ୍ରାନ୍ତ ମାମଲା; ୫୭ କୋଟି ଚଳୁ କରିଦେଇଥିବା ଅଭିଯୋଗରେ ବିଜେପି ନେତା କିରୀଟ ସୋମାୟା ଓ ତାଙ୍କ ପୁଅଙ୍କ ନାମରେ ରୁଜୁ ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଏନଏସ ବିକ୍ରାନ୍ତକୁ ନେଇ ବର୍ତ୍ତମାନ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ୫୭ କୋଟି ଚଳୁ କରିଦେଇଥିବା ଅଭିଯୋଗରେ ମହାରାଷ୍ଟ୍ରରେ ବିଜେପି ନେତା କିରୀଟ ସୋମାୟା ଓ ତାଙ୍କ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ବିକ୍ରାନ୍ତର ସୁରକ୍ଷା ଆଳରେ ଏହି ବାପ-ପୁଅ ଯୋଡ଼ି ୫୭ କୋଟି ଆଦାୟ କରି ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ପ୍ରଥମେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଏହାପରେ ଟ୍ରୋମବେ ପୁଲିସ ଷ୍ଟେସନରେ କିରୀଟ ଓ ତାଙ୍କ ପୁଅଙ୍କ ନାଁରେ ମାମଲା କରାଯାଇଛି। ସେପଟେ ୧୯୬୧ରେ ଆଇଏନଏସ୍ ବିକ୍ରାନ୍ତ ନୌସେନାରେ ସାମିଲ ହୋଇଥିଲା। ଏଥିସହ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହା ଗେମଚେଞ୍ଜର ଭୂମିକା ନିର୍ବାହ କରିଥିଲା। ତେବେ ୧୯୯୭ରେ ଏହା ନୌସେନାରୁ ଅବସର ଦିଆଯାଇଥିଲା। ୨୦୧୪ ଜାନୁଆରୀ ମାସରେ ଅନଲାଇନ ଅକ୍ସନରେ ଏହାକୁ ବିକ୍ରି କରାଯାଇଥିଲା ଓ ସେହିବର୍ଷ ନଭେମ୍ବର ମାସରେ ଏହାର ସ୍କ୍ରାପିଂ କରାଯାଇଥିଲା।

ଅର୍ଥାତ ଏହାକୁ ଭାଙ୍ଗି ଦିଆଯାଇଥିଲା। ଏବେ ୫୩ ବର୍ଷୀୟ ପୂର୍ବତନ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଆଇଏନଏସ୍ ବିକ୍ରାନ୍ତର ସୁରକ୍ଷା ପାଇଁ କିରୀଟ ସୋମାୟା ଗୋଟିଏ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ଜରିଆରେ ଅନେକ ଲୋକଙ୍କ ସମେତ ସେ ମଧ୍ୟ କିରୀଟଙ୍କୁ ଚାନ୍ଦା ଦେଇଥିଲେ। ଅଭିଯାନ ଜରିଆରେ ମୋଟ ୫୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏହି ଅର୍ଥକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ସେକ୍ରେଟାରୀ ଅଫିସରେ ଜମା କରିବା ବଦଳରେ କିରୀଟ ଓ ତାଙ୍କ ପୁଅ ଚଳୁ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଶିବସେନାର କର୍ମୀମାନେ ବୁଧବାର ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍ ୪୦୬, ୪୨୦ ଓ ଧାରା ୩୪ ଆଧାରରେ ପୁଲିସ କିରୀଟ ସୋମାୟା, ତାଙ୍କ ପୁଅ ଓ ଅନ୍ୟମାନଙ୍କ ନାଁରେ ରୁଜୁ କରିଛି। ଏହାପୂର୍ବରୁ ବୁଧବାର ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଆଇଏନଏସ ବିକ୍ରାନ୍ତ ପାଇଁ ମିଳିଥିବା ୫୭ କୋଟି ଟଙ୍କାକୁ କିରୀଟ ହଡ଼ପ କରି ନେଇଥିବା ଅଭିଯୋଗ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି

Related Posts