ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଯୁକ୍ତ ୩(ୟୁଜି) ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଓ ସ୍ନାତକୋତ୍ତର(ପିଜି) ପାଠପଢ଼ା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ । ଏ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଏବଂ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ୧୩ ତାରିଖରୁ ୟୁଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବାକୁ ଥିବା ବେଳେ ୧୭ରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ହେବ ବୋଲି ଚିଠିରେ ଉଲ୍ଲେ୍ଖ ରହିଛି । ସେହିଭଳି ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବାକୁ ମଧ୍ୟ କୁହାଯାଇଛି ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିଦ୍ଦେର୍ଶକୁ ପାଳନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଉଭୟ ୟୁଜି ଏବଂ ପିଜି ନାମଲେଖା ଶେଷ ହୋଇନାହିଁ । ୟୁଜିର ଯଦିଓ ନାମଲେଖା ଶେଷ ହୋଇଥିଲା, କିନ୍ତୁ ସିଟ୍ ବଳକା ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ପିଜି ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସ୍ପଟ ନାମଲେଖା ବାକି ରହିଛି । ଆସନ୍ତା ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୮ତାରିଖରେ ସ୍ପଟ ନାମଲେଖା ପାଇଁ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଏହାପରେ ୧୯ ଓ ୨୦ ତାରିଖ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ତେବେ ନାମଲେଖା ଶେଷ ହୋଇ ନ ଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
