ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୬ ବର୍ଷ ୮ ମାସର ପ୍ରତୀକ୍ଷା ପରେ ଶେଷରେ ସମ୍ବଲପୁରର ଫ୍ଲାଇଓଭର୍ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ତେବେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମଧ୍ୟ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଉଦ୍‌ଘାଟକ ଭାବେ ଆସିଥିବା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଚାହିଁ ରହିଥିବା ବେଳେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ସେଠାରେ ପହଞ୍ଚି ଫିତା କାଟି ଦେଇଥିଲେ।

ଅବଶ୍ୟ ଏହା ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଦ୍‌ଘାଟନୀ ଫଳକର ପରଦା ଅନାବରଣ କରିଥିଲେ। ତେବେ ଜୟନାରାୟଣ ଫିତା କାଟିବା ନେଇ ‌ଉପସ୍ଥିତ ବିଜେପି କର୍ମୀମାନେ ବେଶ ଉତ୍ସାହିତ ହୋଇ ପଡ଼ଥିବାବେଳେ ବିଜେଡି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉଦ୍‌ଘାଟନ ଉତ୍ସବ ପରେ ମଧ୍ୟ ସାମ୍ବାଦିକ ଓ ବିଜେପି କର୍ମୀଙ୍କ ସହ ଅନୌପଚାରିକ ଆଲୋଚନା ବେଳେ ଜୟନାରାୟଣ ଫଳକରେ ବିରୋଧୀ ଦଳ ନେତାଙ୍କ ନାମ ମନ୍ତ୍ରୀଙ୍କ ନାମ ପରେ ଲେଖା ଯିବା ଉପରେ ପ୍ରଶ୍ନ ଉଠାଇଥିଲେ। ପ୍ରଟୋକଲ୍ ଅନୁସାରେ କ୍ୟାବିନେଟ୍ ମନ୍ତ୍ରୀ ନା ବିରୋଧୀଦଳ ନେତା କିଏ ବଡ଼ ଏହାକୁ ନେଇ ସେଠାରେ ଉପସ୍ଥିତ କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ୍ କିଛି ସମୟ ତର୍କବିତର୍କ ମଧ୍ୟ ଚାଲିଥିଲା।

ଶୁକ୍ରବାର ସଂଧ୍ୟାରେ ବିଜେଡି, ବିଜେପି କର୍ମୀଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ବହୁ ପ୍ରତୀକ୍ଷିତ ସମ୍ବଲପୁର ଫ୍ଲାଇଓଭର୍‌ ଉଦ୍‌ଘାଟିତ ହୋଇଥିଲା। ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଥିବାବେଳେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅତିଥି ଥିଲେ। ତେବେ ଉଦ୍‌ଘାଟନୀ ଉତ୍ସବରେ ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା।

ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁର ସାଂସଦ ନିତେଶ ଗଂଗଦେବ, ରେଂଗାଲି ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଏସ୍‌ପି ବି. ଗଂଗାଧର ଉପସ୍ଥିତ ଥିଲେ। ଏହାଛଡ଼ା ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ଏବଂ ବିଜେଡି ପର୍ଯ୍ୟବେକ୍ଷକ ଇଂ. ନଳିନୀକାନ୍ତ ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଫ୍ଲାଇ ଓଭର୍‌ ଉପରେ ଉଦ୍‌ଘାଟନୀ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ ବହୁ ସଂଖ୍ୟାରେ ଦଳୀୟ ମହିଳାଙ୍କୁ ପୋଲ ଉପରକୁ ଛଡ଼ା ଯାଇଥିଲାବେଳେ ଉଦ୍‌ଘାଟନ ପୂର୍ବରୁ ଅନ୍ୟମାନଙ୍କୁ ପୁଲିସ୍‌ ଆରମ୍ଭରୁ ଅଟକାଇ ଦେଇଥିଲା। ନିର୍ଦ୍ଧାରିତ ସମୟର ପ୍ରାୟ ୪୫ ମିନିଟ୍ ବିଳମ୍ବରେ ମନ୍ତ୍ରୀଙ୍କ ସହ ଅନ୍ୟ ବିଜେଡି ନେତା ମାନେ ୧୧ଟି ଗାଡ଼ିରେ କାର୍‌କେଡ୍‌ ଭଳି ଆସି ସିଧା ପୋଲ ଉପର ଉଦ୍‌ଘାଟନ ସ୍ଥଳକୁ ଚଢ଼ି ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ ବିଜେପି ନେତାମାନଙ୍କୁ ଅପେକ୍ଷା କରିଥିଲେ। ପ୍ରାୟ ୧୦ ମିନିଟ୍‌ ପରେ ଜୟ ନାରାୟଣ, ନିତେଶ ଓ ନାଉରୀଙ୍କ ‌ସମେତ ବିଜେପି ନେତା ଓ କର୍ମୀମାନେ ଏକାଧିକ ଗାଡ଼ିରେ ଆସି ମଞ୍ଚ ନିକଟରେ ଓହ୍ଲାଇଥିଲେ। ଗାଡ଼ିରୁ ଓହ୍ଲାଇ ମଞ୍ଚ ନିକଟରେ ପହଞ୍ଚିବା ପରେ ଜୟନାରାୟଣ ସିଧାସଳଖ ଫିତା କାଟିଥିଲେ। ତେବେ ଏହି ଫ୍ଲାଇଓଭର୍‌ ଉଦଘାଟନ ସମୟରେ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଲା ତାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁର ସହରର ନେଲ୍‌ସନ ମଣ୍ଡେଲା ଛକଠାରୁ ଧୁଚୁରାପଡ଼ା ଛକ ପର୍ଯ୍ୟନ୍ତ ୧୮୮୦ ମିଟର ଲମ୍ବା ଏହି ଫ୍ଲାଇଓଭର୍‌ ପାଇଁ ୧୧୮ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲାବେଳେ କାମ କିନ୍ତୁ ଏପର୍ଯ୍ୟନ୍ତ ସରିନାହିଁ। ଆଉ କିଛି ଘର ଓ ଜମି ଅଧିଗ୍ରହଣ, କିଛି ଅଂଶ ସର୍ଭିସ୍ ରୋଡ୍ ନିର୍ମାଣ, ପୋଲ ଉପରୁ ଜଳ ନିଷ୍କାସନ ବ୍ୟବସ୍ଥା, ଫ୍ଲାଇଓଭର୍ ତଳେ ଡିଭାଇଡର୍‌ ନିର୍ମାଣ ଆଦି କାମ ଏବେ ମଧ୍ୟ ବାକି ରହିଛି। ତେଣୁ ଖର୍ଚ୍ଚ ଆହୁରି ବୃଦ୍ଧି ପାଇବ। ଭୁବନେଶ୍ବରର ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ସଂସ୍ଥା ଏହି ଫ୍ଲାଇଓଭର୍‌ ନିର୍ମାଣ କରିଛି। ତେବେ ପାଉଣାକୁ ନେଇ ବିବାଦ ଉପୁଜିବାରୁ ଫ୍ଲାଇଓଭର୍ ନିର୍ମାଣ ପରେ ଏହି ସଂସ୍ଥାକୁ ନୋଟିସ୍‌ ଦେଇ ବିଦା କରାଯାଇଥିଲା। ପରେ ପୂର୍ତ୍ତ ବିଭାଗ ଅନ୍ୟ ଠିକା ସଂସ୍ଥାଗୁଡ଼ିକ ଜରିଆରେ ବକେୟା କାମ କରାଉଛି। ଶୁକ୍ରବାର ଉଦ୍‌ଘାଟନ ସତ୍ତ୍ବେ ଲୋକଙ୍କ ଭିଡ଼ ଓ ଦୁର୍ଘଟଣା ଆଶଂକା କରି ଫ୍ଲାଇଓଭର୍‌ ଉପରକୁ ସାଧାରଣ ଲୋକ ଓ ଯାନବାହନ ଛଡ଼ା ଯାଇନାହିଁ। ଉଭୟ ମୁଣ୍ଡରେ ପୁଲିସ୍ ଜଗି ରହିଥିବା ସୂଚନା ମିଳିଛି।