ହିଂସା ଉସୁକାଇବା ଭଳି ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ, ୩ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଭାରତରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ଧାର୍ମିକ ଅସନ୍ତୋଷ । ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାର ପ୍ରସାର ଫଳରେ ଧାର୍ମିକ ଅସନ୍ତୋଷ ସାଙ୍ଗକୁ ବୃଦ୍ଧିପାଉଛି ହିଂସା ଉସକାଇବା ଭଳି ମନ୍ତବ୍ୟ ବା ହେଟ୍‌ ସ୍ପିଚ୍‌ । ଯାହାକୁ ନେଇ ଚିନ୍ତା ବଢିବା ସହ ସ୍ଥିତି ବିଗିଡିବାର ଲାଗିଛି । ଶୁକ୍ରବାର ଏଭଳି ଏକ ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।ଜଣେ ସାମ୍ବାଦିକଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନ ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ମାମଲାର ଶୁଣାଣି କରି କୋର୍ଟ ଦେଶର ୩ ପ୍ରମୁଖ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ୩ ରାଜ୍ୟ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ସୁପ୍ରିମକୋର୍ଟ । ନ୍ୟାୟାଳୟ କହିଛନ୍ତି, ‘ହିଂସାକୁ ଉସକାଇବା ଭଳି ମନ୍ତବ୍ୟ ବା ହେଟ୍‌ ସ୍ପିଚ୍‌ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଅପରାଧିକ ମାମଲା ରୁଜୁ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’।

ସୁପ୍ରିମକୋର୍ଟ କହିଛନ୍ତି, ‘ଭାରତର ସମ୍ବିଧାନ ସର୍ବଦା ଜଣେ ବ୍ୟକ୍ତିଙ୍କ ଗାରିମାକୁ ସୁନିଶ୍ଚିତ କରିବା ପାଇଁ ଧର୍ମନିରପେକ୍ଷତା ଏବଂ ଭାତୃଭାବକୁ ଗୁରୁତ୍ବ ଦେଇଥାଏ । ଏ ଜାତିର ଏକତା ଏବଂ ଏକାଗ୍ରତା ପୂରା ବିଶ୍ବକୁ ମାର୍ଗଦର୍ଶନ ଦେଇଥାଏ’। ଜଷ୍ଟିସ୍‌ କେ.ଏମ୍‌ ଜୋସେଫ ଏବଂ ଜଷ୍ଟିସ୍‌ ହୃିଷିକେଶ ରୟଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ, ଦେଶର ୩ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସାମ୍ବାଦିକ ସାହିନ ଅବଦୁଲ୍ଲାଙ୍କ ପିଟିସନ୍‌ ଉପରେ ଶୁଣାଣି କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପିଟିସନର ଶୁଣାଣି କରି କୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ କହିଛନ୍ତି, ‘ବିଭିନ୍ନ ଧର୍ମ ମଧ୍ୟରେ ସମନ୍ବୟ ରକ୍ଷା କରାନଗଲେ ଭ୍ରାତୃତ୍ବ ଭାବ ରହିପାରିବ ନାହିଁ’। ପିଟିସନରେ ଆବଦନକାରୀ ଦର୍ଶାଇଥିଲେ ଯେ, ସମ୍ବିଧାନରେ ଅନେକ ଦଣ୍ଡବିଧାନ ବ୍ୟବସ୍ଥା ରହିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ସାମ୍ବିଧାନିକ ନୀତିନିୟମକୁ ପାଳନ କରିବାର ନିହାତି ଆବଶ୍ୟକତା ରହିଛି। ଯାହାକୁ କି କୋର୍ଟ ହୃଦୟଙ୍ଗମ କରିବା ସହିତ ମୌଳିକ ଅଧିକାରର ସୁରକ୍ଷା ଏବଂ ବିଶେଷକରି ସମ୍ବିଧାନର ସୁରକ୍ଷା ଦିଗରେ ନୀତି ନିୟମ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ବେଞ୍ଚ କହିଛନ୍ତି ।

ତେଣୁ କୌଣସି ଧର୍ମ ବିରୋଧରେ ହିଂସା ଉଦ୍ୟେକକାରୀ ମନ୍ତବ୍ୟ ଦେବା, କୌଣସି ଧର୍ମକୁ ଅସମ୍ମାନ କରିବା ଅଭିଯୋଗ ସାମ୍ନାକୁ ଆସିଲେ ତାହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ବେଞ୍ଚ କହିଛନ୍ତି ।

Related Posts