ଆଇପିଏଲ ୨୦୨୪: ବିଜୟ ସହ ଚେନ୍ନାଇର ଅଭିଯାନ ଆରମ୍ଭ, ୬ ୱିକେଟରେ ବେଙ୍ଗାଳୁରୁକୁ ହରେଇଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦମଦାର ବିଜୟ ସହ ଆଇପିଏଲ ୨୦୨୪ରେ ନିଜ ଯାତ୍ରା ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦେଇଥିବା ୧୭୪ ରନର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଛି । ଟିମ୍ ପାଇଁ ଶୁଭମ ଦୁବେ ସର୍ବାଧିକ ୩୮ ରନ କରିଥିଲେ । ଆଇପିଏଲ ୨୦୨୪ର ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯାଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା । ଟିମ୍ ପକ୍ଷରୁ ଅନୁଜ ରାୱତ ସର୍ବାଧିକ ୪୮ ରନ କରିଥିଲେ । ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ଚେନ୍ନାଇ ପାଇଁ ଓପେନିଂ କରିବାକୁ ଓହ୍ଲାଇଥିବା ଋତୁରାଜ ଗାଏକୱାଡ ୧୫ ରନ୍ ଏବଂ ରଚିନ ରବିନ୍ଦ୍ର ୩୭ ରନ୍ କରି ପାଭେଲିୟନ ଫେରିଥିଲେ । ଅଜିଙ୍କ୍ୟା ରାହାଣେ ମଧ୍ୟ ୨୭ ରନ୍ କରି ମ୍ୟାକ୍ସୱେଲଙ୍କ ବଲରେ ଗ୍ରୀନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଡାରିଲ ମିଚେଲ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଶୁଭେମ ଦୁବେ (୩୮) ଏବଂ ରବିନ୍ଦ୍ର ଜାଡେଜା (୨୫)ଙ୍କ ପାର୍ଟନରଶିପ ଟିମକୁ ବିଜୟୀ କରାଇଥିଲା ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆରସିବି ଦମଦାର ଆରମ୍ଭ କରିଥିଲା । ଦୁଇ ଓପନର ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୪୧ ରନର ଭଗିଦାରୀ କରିଥିଲେ । ୩୫ ରନର ବ୍ୟକ୍ତିଗତ ସ୍କୋରରେ ଫାଫ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଏହାପରେ ଟିମକୁ ଲାଗାତର ଦୁଇଟି ଝଟକା ଲାଗିଥିଲା । ରଜତ ପାଟିଦାର ଏବଂ ଗ୍ଲେମ ମ୍ୟାକ୍ସୱେଲ କୌଣସି ରନ ନକରି ଆଉଟ୍ ହୋଇଥିଲେ । ଟିମ୍ ୭୮ ରନରେ କ୍ୟାମେରନ୍ ଗ୍ରୀନଙ୍କ ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା । ଶେଷରେ ଅନୁଜ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୬୬ ରନର ପାର୍ଟନରଶିପ୍ ହୋଇଥିଲା । ଅନୁଜ ୪୮ ରନ କରି ରନ ଆଉଟ୍ ହୋଇଥିବା ବେଳେ କାର୍ତ୍ତିକ ଅପରାଜିତ ୩୮ ରନ କରିଥିଲେ । ଚେନ୍ନାଇ ପାଇଁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ ୱିକେଟ୍ ନେଇଥିଲେ ।

Related Posts