ଇସ୍ରାଏଲ ଉପରକୁ ଇରାନର ଏୟାର ଷ୍ଟ୍ରାଇକ

ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ):  ମଧ୍ୟ ପ୍ରାଚ୍ୟରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ପ୍ରାୟ ଦୁଇ ଦଶନ୍ଧି ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଶକ୍ତିଶାଳୀ ଦେଶ । ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି ।

ଗତ ରାତିରେ ଇରାନ ଇସ୍ରାଏଲ ଉପରକୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଡ୍ରୋନ ଓ ମିଶାଇଲ ମାଡ଼ କରିଛି। ମାତ୍ର ଇସ୍ରାଏଲ ସେନାର ଡିଫେନ୍ସ ସିଷ୍ଟମ ଏଥି ମଧ୍ୟରୁ ଅଧିକାଂଶ ମିଶାଇଲ ଓ ଡ୍ରୋନକୁ ଅକାମୀ କରି ଦେଇଥିବା ଜଣାଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ନିଜର ସବୁ ଏୟାର ସ୍ପେଶକୁ ବନ୍ଦ କରି ଦେଇଛି। ଏଥିସହ ଇସ୍ରାଏଲ ଏବେ ନୋ ଫ୍ଲାଇଂ ଜୋନ୍‌ରେ ପରିଣତ ହୋଇ ଯାଇଛି।

ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିବାରୁ ସହାୟତା ପାଇଁ ଆମେରିକା ପକ୍ଷରୁ ଯୁଦ୍ଧ ଜାହାଜ ପଠା ଯାଇଛି। ଇସ୍ରାଏଲ ସହାୟତା ପାଇଁ ଆଗକୁ ଆସିଥିବା ଆମେରିକା ନିଜ ଡିଫେନ୍ସ ସିଷ୍ଟର ଦ୍ୱାରା ଇରାନର ବହୁ ଡ୍ରୋନକୁ ଖସାଇ ଦେଇଛି।

ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ପ୍ରଧାନମନ୍ତ୍ର ବେଞ୍ଜାମିନ ନେତାନ୍ୟାହୁ ନିଜ ନାଗରିକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେ ରକ୍ଷାତ୍ମକ ତଥା ଆକ୍ରମଣାତ୍ମକ ପଦ୍ଧତି ଦ୍ୱାରା ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ଅଛୁ। ଯିଏ ବି ଆମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ଆମେ କେବେ ବି ତା’ ପ୍ରତି ଉଦାର ହୋଇ ପାରିବୁ ନାହିଁ । ଆମେ ସ୍ଥିତିର ମୁକାବିଲା କରିବା ଭଲ ଭାବେ ଶିଖିଛୁ ଓ ଏହାର କଡ଼ା ଜବାବ ଦେବୁ । ଆମେ ଏକ ହୋଇ ଛିଡ଼ା ହେବୁ ଓ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବୁ।

ଇସ୍ରାଏଲ ଉପରେ ହମଲା କରିବାକୁ ଯୋଜନା କରୁଥିବା ଇରାନ ଗତକାଲି ଇସ୍ରାଏଲର ଗୋଟିଏ ପଣ୍ୟବାହୀ ଜାହାଜ MCS ଏରିଜକୁ ୟୁଏଇ ଉପକୂଳରେ ଜବତ କରି ନେଇଥିବା ଜଣାଯାଇଛି। ଇରାନ ନୌସେନାର ସ୍ପେଶାଲ ଫୋର୍ସର ଗାର୍ଡମାନେ ଜାହାଜକୁ ଜବତ କରିଥିବା ବେଳେ ତାହା ଇରାନ ସୀମା ମଧ୍ୟରେ ରହିଛି। ପ୍ରବେଶ କରିଛି। ଇରାନ ଅଟକ ରଖିଥିବା ଇସ୍ରାଏଲୀ ଜାହାଜରେ ଅତି କମରେ ୧୭ ଭାରତୀୟ ଥିବା ସୂଚନା ମିଳିଛି ।

Related Posts