ଋତୁସ୍ରାବ ସମୟରେ କାର୍ଯ୍ୟରତ ମହିଳାଙ୍କୁ ଛୁଟି ପ୍ରସଙ୍ଗ; ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଋତୁସ୍ରାବ ସମୟରେ କାର୍ଯ୍ୟରତ ମହିଳାଙ୍କୁ ଛୁଟି ମିଳିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ କରାଯାଇଥିଲା । ତେବେ ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହି ପ୍ରସଙ୍ଗଟି ସରକାରଙ୍କ ନୀତି ଅଧୀନରେ ରହିଥିବାରୁ ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟଙ୍କ କହିବାନୁସାରେ ଏହି ପ୍ରସଙ୍ଗଟି କେନ୍ଦ୍ର ସରକାରଙ୍କ ନୀତି ଅଧୀନରେ ରହିଛି । ଏଥିଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ଆବେଦନ କରିବା ଲାଗି କହିଛନ୍ତି । ଏହା ସରକାରଙ୍କ ନୀତି ଅଧୀନରେ ରହିଥିବାରୁ ଏ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ କହିଛି । ଯଦି ଆବେଦନକାରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରେ ଆବେଦନ କରନ୍ତେ, ତେବେ ଏହା ଅଧିକ ଯୁକ୍ତିଯୁକ୍ତି ରହିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, ଯଦି କୌଣସି ସଂସ୍ଥା ନିଜ ମହିଳା କର୍ମଚାରୀଙ୍କୁ ପ୍ରତି ମାସରେ ଋତୁସ୍ରାବ ଲାଗି ଛୁଟି ଦିଅନ୍ତି, ତେବେ ସେମାନେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ପରବର୍ତ୍ତୀ ସମୟରେ କୁଣ୍ଠାବୋଧ କରିବେ ।

ଏହି ଆବେଦନ ପତ୍ରରେ ଆବେଦନକାରୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇଛନ୍ତି, ମାତ୍ର ଏହି ପ୍ରସଙ୍ଗଟି ସରକାରଙ୍କ ନୀତି ଅଧୀନରେ ଥିବାରୁ ଏନେଇ ମନ୍ତ୍ରଣାଳୟ ନିଷ୍ପତ୍ତି ନେବା ଉଚିତ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ତେବେ ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ (Maternity Benefit Act) ଅନୁସାରେ ଋତୁସ୍ରାବ ସମୟରେ ରାଜ୍ୟର ସମସ୍ତ ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ଦିଲ୍ଲୀ ବାସିନ୍ଦା ଛାତ୍ର ଶୈଳେନ୍ଦ୍ର ମଣିଙ୍କ ଦ୍ବାରା ଆବେଦନ କରାଯାଇଥିଲା । ଶୈଳେନ୍ଦ୍ର ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରିଥିଲେ ।

ଅନ୍ୟପଟେ ଆବେଦନକାରୀ ନିଜ ଆବେଦନ ପତ୍ରରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ୟୁକେ, ଚୀନ, ୱେଲସ, ଜାପାନ, ତାଇୱାନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ସ୍ପେନ ଓ ଜାମ୍ବିଆ ଆଦି ଦେଶରେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଛୁଟି ଦିଆଯାଉଛି । ଋତୁସ୍ରାବ ସମୟରେ ମହିଳାମାନେ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଗତି କରିଥାନ୍ତି । କେବଳ ମହିଳାମାନେ ଏକ ଜୀବନ ସୃଷ୍ଟି କରିପାରିବାର କ୍ଷମତା ରଖିଛନ୍ତି । ଯାହାଦ୍ବାରା ମାନବ ଜାତିର ପ୍ରସାର ହୋଇଥାଏ । ତେବେ ମାତୃତ୍ବର ବିଭିନ୍ନ ପର୍ଯ୍ୟାୟ ସେ ଗର୍ଭଧାରଣ, ଗର୍ଭପାତ ହେଉ କି ଋତୁସ୍ରାବ । ଏହି ସମୟରେ ମହିଳା ଅନେକ ଯନ୍ତ୍ରଣାର ସହିତ ଗତି କରିଥାନ୍ତି ।

ସୂଚନାଯୋଗ୍ୟ ଯେ, ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ ଅନୁସାରେ ମହିଳାମାନଙ୍କୁ ଗର୍ଭଧାରଣ, ଗର୍ଭପାତ, ଗର୍ଭନିରୋଧକ ଅପରେସନ ଏହାସହ ଗର୍ଭଧାରଣ ସମୟରେ ଚିକିତ୍ସା ଜଟିଳତା ଲାଗି ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । ମହିଳା କର୍ମଚାରୀମାନେ ଏହି ଛୁଟି ନେବା ସମୟରେ ତାଙ୍କୁ ପୂର୍ଣ୍ଣ ଦରମା ମିଳିବ ବୋଲି ନିୟମ ରହିଛି । ତେବେ ଋତୁସ୍ରାବ ମାତୃତ୍ବର ଏକ ଅଂଶ ହୋଇଥିବାରୁ ଏହି ସମୟରେ ମଧ୍ୟ ଛାତ୍ରୀ ଓ ମହିଳାମାନଙ୍କୁ ଛୁଟି ଦେବା ଲାଗି ଆବେଦନକାରୀ ଦାବି କରିଥିଲେ।

Related Posts