ଯେତେବେଳେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିବ ସେତେବେଳେ ଦୁଇ ଡୋଜ ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି କରିବା ପ୍ରାସଙ୍ଗିକ : ଡକ୍ଟର ଆନ୍ଥୋନୀ ଫାଉଚି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟିକା ଅଭାବ ବେଳେ ‘କୋଭିସିଲ୍‌ଡ୍‌’ ଟିକାର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧିକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ମଧ୍ୟରେ
ଆମେରିକାର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚିଙ୍କ ବୟାନ ସାମ୍ନାକୁ ଆସିଛି। ତେବେ ଏହି ବ୍ୟବଧାନ ଅବଧି ବୃଦ୍ଧି ଭାରତ ପାଇଁ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ANIକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଯେତେବେଳେ ତୁମେ ସ୍ଥିତି ଚିନ୍ତାଜନକ ଥାଏ , ଭାରତ ଏବେ ଯେଉଁ ସ୍ଥିତିରେ ଅଛି । ସେହି ସମୟରେ ଯେତେ ଶୀଘ୍ର ଲୋକଙ୍କୁ ଟିକା ଦିଆଯିବା ପାଇଁ ଚେଷ୍ଟା କରିବାକୁ ପଡିବ ଏବଂ ମୁଁ ବିଶ୍ୱାସ କରେ ଯେ ଏହା କରିବା ଏକ ଯୁକ୍ତିଯୁକ୍ତ ପ୍ରସଙ୍ଗ। ” ଟିକାର ଅଭାବ ଲୁଚାଇବାକୁ ଯାଇ ଭାରତ ସରକାର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିଥିବା ପ୍ରଶ୍ନର ଉତ୍ତରରେ ଡକ୍ଟର ଫାଉଚି କହିଛନ୍ତି ଯେ, ଟିକାର ଦୁଇ ଡୋଜ୍‌ ମଧ୍ୟରେ ସମୟ ବ୍ୟବଧାନ ବଢ଼ାଇବା ଯୁକ୍ତଯୁକ୍ତ। କାରଣ ଯେତେବେଳେ ଯଥେଷ୍ଟ ପରିମାଣର ଟିକା ନ ଥାଏ ସେତେବେଳେ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବା ଲାଗି ଦୁଇ ଡୋଜ୍‌ ମଧ୍ୟରେ ଥିବା ଗ୍ୟାପ୍ କୁ ବୃଦ୍ଧି କରିବା ଯୁକ୍ତିସଙ୍ଗତ । ତେବେ ଅଧିକ ବିଳମ୍ବ ହୋଇଗଲେ ଟିକାର ଫଳପ୍ରଦତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭାରତ ହେଉଛି ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଣୁ, ଭାରତ ନିଜସ୍ବ ସମ୍ବଳ ନିଜ ଲୋକଙ୍କ ପାଇଁ ଉପଯୋଗ କରିବା ଉଚିତ ବୋଲି ସେ କହିଛନ୍ତି। ଆସନ୍ତା ସପ୍ତାହରୁ ଭାରତର ନାଗରିକମାନଙ୍କୁ ଋଷର ସ୍ପୁଟ୍ନିକ୍ ଭି ଟିକା ଦିଆଯିବର ସମ୍ଭାବନା ରହିଛି। ତେବେ ଏହାର ଫଳପ୍ରଦ କୁ ନେଇ ସେ କହିଛନ୍ତି ଯେ, “ମୁଁ ସ୍ପୁଟ୍ନିକ୍ ବିଷୟରେ ଶୁଣିଛି, ଏହା ପ୍ରାୟ 90% କିମ୍ବା ଅଧିକ ଉଚ୍ଚ ସ୍ତରରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ମନେହୁଏ।”

Related Posts