କଳାହାଣ୍ଡିରୁ ଭୁବନେଶ୍ଵର ଆସି ପ୍ରାସାଦ ନିର୍ମାଣ କରିବା ସହଜ ନୁହେଁ, ଅର୍ଚ୍ଚନା ନାଗଙ୍କର କଳା ସାମ୍ରାଜ୍ୟ ପଛରେ ବଡ଼ବଡ଼ିଆଙ୍କ ହାତ: ଦାମୋଦର ରାଉତ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ, ଏବେ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଅର୍ଚ୍ଚନା ନାଗଙ୍କର କଳା ସାମ୍ରାଜ୍ୟ ପଛରେ ବଡ଼ବଡ଼ିଆଙ୍କ ହାତ ରହିଛି। କଳାହାଣ୍ଡିରୁ ଭୁବନେଶ୍ଵର ଆସି ପ୍ରାସାଦ ନିର୍ମାଣ କରିବା ସହଜ ନୁହେଁ। ଯିଏ ନିର୍ମାଣ କରିଛି ତାକୁ ଖୋଜିକି ବାହାର କରାଗଲେ ସତ କଥା ପଦାକୁ ଆସିବ। ପାପ କୁଣ୍ଡରେ ଗୋଡ଼ ବୁଡ଼ାଇବାକୁ ଅନେକଙ୍କର ମନ ଥିଲା। ପାପର ଉଆସ ସେହି ପାପୀମାନେ ନିର୍ମାଣ କରିଛନ୍ତି। ଏଥିରେ ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖିଥିବା ଲୋକ ରାଜନେତା, ପ୍ରଶାସକ ଓ ଠିକାଦାର ଥାଇପାରନ୍ତି ।

ସେ ଆହୁରି କହିଛନ୍ତି, ବିଧାନସଭା ଚାଲିଲା ବେଳେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି ଥାଏ ସେଥିରେ ଅର୍ଚ୍ଚନା କେମିତି ବେଧଡ଼କ ଯାଉଥିଲେ ତାହା ଏକ ବଡ଼ ପ୍ରଶ୍ନ। ଗଣମାଧ୍ୟମ ପାଇଁ କଟକଣା ଥିବାବେଳେ ଅର୍ଚ୍ଚନା କାହିଁକି ଯାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ଦାମ ରାଉତ। କ୍ରିକେଟ ଖେଳ ଆମକୁ ଦେଖିବାର ସୁଯୋଗ ମିଳୁନି ,ଅଥଚ ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲେ। ଓଡ଼ିଆ ଜାତି ପାଇଁ ଏହା ଏକ କଳଙ୍କ। ଓଡ଼ିଆ ଜାତିର ଇହିହାସ ପରମ୍ପରାର କୁଠାରଘାତ ହେଉଛି । ରାଜନେତାମାନେ ସେବା ନୁହେଁ, ଉପଭୋଗ କରିବାକୁ ଆସୁଛନ୍ତି। ଶାସକ ଦଳ ହାତରେ ପୁଲିସ ଅଛି। ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତି ଥିବା ଲୋକଙ୍କୁ ଖୋଜି ଦଣ୍ଡ ଦିଆଯାଉ

Related Posts